ଅପରାଧ ରାଜ୍ୟ

ମାଳିପଦର ଏନ୍‌କାଉଣ୍ଟର୍‌ ସନ୍ଦେହ ବଢ଼ାଇଲା: ଗଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼!

ଜୟପୁର : ମାଓବାଦୀ ନୁହନ୍ତି, ଗ‌ଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼ କରାଯାଇଛି। ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ନେଇ ଏଭଳି ସଂଗିନ୍‌ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ସରଗିଗୁଡା ଗ୍ରାମବାସୀ। ସେହିପରି ଗତ ୧୦ତାରିଖ ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପୁଲିସ ଆଜି ଶବ ହସ୍ତାନ୍ତର କଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ଗତକାଲି ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରଜେଶ ପଣ୍ଡିତ ମାଓବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ, ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣରେ ସାମଗ୍ରୀ ଜବତ କରାଯାଇଛି। ଏଥିସହିତ, ଘଟଣାସ୍ଥଳରୁ ୧୦ବସ୍ତା ଗଞ୍ଜେଇ ଜବତ କରାଯାଇଛି। ତେବେ, ପୁଲିସ୍‌ର ଏହିଭଳି ମନ୍ତବ୍ୟକୁ ସମ୍ପୃକ୍ତ ଗ୍ରାମର ଅଧିବାସୀ ବିରୋଧ କରିଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ , ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସରଗିଗୁଡ଼ା ଗ୍ରାମର ଧନ କମାର। ଧନ ଦିନ ମଜୁରିଆ ଥିଲେ। ମଙ୍ଗଳବାର ରାତିରେ ଅନ୍ୟ ୫ଜଣଙ୍କ ସହ ଗଁାରୁ ବାହାରିଥିଲେ। ସେମାନଙ୍କ ସହ କୋଟପାଡ଼ ଅଞ୍ଚଳର ୩ଜଣ ଯୁବକ ଥିଲେ। ଆଜି ସରଗିଗୁଡ଼ା ଗାଁର ସେହି ୫ଜଣ ଯୁବକ ମୋବାଇଲ ନେଟୱର୍କ ଥିବା ଅଞ୍ଚଳରେ ପହଞ୍ଚିବା ପରେ ଗାଁକୁ ଫୋନ୍‌ କରିଥିଲେ। ସେମାନଙ୍କ ସହ ଧନ କମାର ନଥିବା ଖବର ଦେଇଥିଲେ। ୧୦ତାରିଖ ବିଳମ୍ବିତ ରାତିରେ ସେମାନେ ଫେରିବା ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ମୃତକଙ୍କ ଫଟୋ ଦେଖିବା ପରେ, ତାହା ଧନ କମାରଙ୍କର ବୋଲି ଜଣାପଡ଼ିଥିଲା। ମୃତକଙ୍କ ବାପା ଶଯ୍ୟାଶାୟୀ ଥିବା ବେଳେ ଭାଇ ହାଇଦ୍ରାବାଦ୍‌ରେ କାମ କରୁଛି। ଗାଁରେ ଛୋଟ ପିଲାଙ୍କୁ ଧରି ପତ୍ନୀ ରହିଥିବା ଗ୍ରାମବାସୀ କହିଛନ୍ତି। ତେଣୁ, ଏହା ଏନ୍‌କାଉଣ୍ଟର ନୁହେଁ, ହତ୍ୟା। ଜଙ୍ଗଲିଆ ରାସ୍ତାରେ ମୃତକ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଏଥିପାଇଁ ଏନ୍‌ଡିପିଏସ୍‌ ଆଇନରେ ମାମଲା ରୁଜୁ କରାଯିବା କଥା। କିନ୍ତୁ, ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ଅନ୍ୟ ଜଣେ ମୃତକ କୋଟପାଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଶନିବାର ଦିନ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପାଇଁ ୨ଜଣ ଡାକ୍ତର ନିୟୋଜିତ ହୋଇଥିଲେ ଏବଂ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଥିଲା। ଶବ ନେବାକୁ କେହି ଦାବିଦାର ଆସିନଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ଏଚ୍‌ଆରପିସି ଡିଏସ୍‌ପି ରେଣୁକା ସୁନା କରୁଥିବା ବେଳେ ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଏସ୍‌ପି ବିମଳକାନ୍ତ ବ୍ରହ୍ମା ଓ ଏସ୍‌ଡିପିଓ ଅରୂପ ଅଭିଷେକ ବେହରା ଉପସ୍ଥିତ ଥିଲେ। ଘଟଣା ସଂପର୍କରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପଚରାଯିବାରୁ କୌଣସି ଉତ୍ତର ରଖିନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।