ଖେଳ ଦେଶ ବିଦେଶ

ରାଉରକେଲାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌, ୧୫ ଏକର ଜାଗାରେ ୨୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍‌ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଉଲ୍ଲାସ

ଭୁବନେଶ୍ବର/ରାଉରକେଲା: ୨୦୨୩ ମସିହାର ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ କରାଯିବ। ଏହାକୁ ନେଇ ସୁନ୍ଦରଗଡ଼ ସମେତ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହାକୁ ସୁନ୍ଦରଗଡ଼ବାସୀଙ୍କ ପାଇଁ ବଡ଼ଦିନ ଓ ନୂଆ ବର୍ଷ ଉପହାର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପିୟୁଟି କ୍ୟାମ୍ପସ୍‌ରେ ପ୍ରାୟ ୧୫ ଏକର ପରିମିତ ଅଞ୍ଚଳରେ ନୂଆ ଷ୍ଟାଡିୟମ ନିର୍ମାଣ ହେବ। ଷ୍ଟାଡିୟମ ୨୦ ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ରହିବ। ଏଠାରେ ଅତ୍ୟାଧୁନିକ ତଥା ବିଶ୍ବସ୍ତରୀୟ ବ୍ୟବସ୍ଥା ରହିବ। ଏହି ପ୍ରସ୍ତାବିତ ଷ୍ଟାଡିୟମ କେବଳ ଓଡ଼ିଶାର ନୁହେଁ, ବରଂ ଦେଶର ସବୁଠାରୁ ବଡ଼ ଷ୍ଟାଡିୟମ ହେବ। ଆଗାମୀ ଦିନରେ ଫିଲ୍‌ଡ ହକି ପାଇଁ ବିଶ୍ବର ସବୁଠାରୁ ଭଲ ଷ୍ଟାଡିୟମ ଭାବେ ପ୍ରତିଷ୍ଠା ଲାଭ କରିବ।

ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାର ଭୂମି। ଜିଲ୍ଲାର ଅନେକ ହକି ଖେଳାଳି ଦେଶର ପ୍ରତିନିଧିତ୍ବ କରି ଗୌରବ ଆଣିଛନ୍ତି। ଏ ମାଟିର ଦିଲୀପ ତିର୍କି, ସୁନୀତା ଲାକ୍ରାଙ୍କ ଭଳି ଖେଳାଳି ଭାରତୀୟ ଦଳର ନେତୃତ୍ବ ନେଇ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ହକିକୁ ସୁନ୍ଦରଗଡ଼ର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଉରକେଲା ବିପିୟୁଟି କ୍ୟାମ୍ପସ୍‌ ପରିସରରେ ଅନ୍ତର୍ଜାତୀୟସ୍ତରର ହକି ଷ୍ଟାଡିୟମ ନିର୍ମାଣ କରାଯିବ। ଏହି ନୂଆ ଷ୍ଟାଡିୟମରେ ବିଶ୍ବକପ୍‌ ମ୍ୟାଚ୍‌ ନୂଆ ପିଢ଼ିର ହକି ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ସେଲ୍‌ ପରିଚାଳିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତାବ ରହିଥିଲା। ଏମିତିକି ଗତ ୧୧ ତାରିଖରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, ସିଇଓ ଏଲିନା ନର୍ମାନ ପ୍ରମୁଖ ଏହି ଷ୍ଟାଡିୟମ ସ୍ଥିତି ପରିଦର୍ଶନ କରିଥିଲେ। ତେବେ ଷ୍ଟାଡିୟମ ନିର୍ମାଣ ନେଇ ସେଲ୍‌ ଓ ରାଜ୍ୟ ସରକାରଙ୍କ ଭାଗ ନ ଛିଣ୍ଡିବାରୁ ନିଜସ୍ବ ରାଜକୋଷରୁ ନୂଆ ଷ୍ଟାଡିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରକୁ ହକି ହବ୍‌ ତଥା ଦେଶର କ୍ରୀଡ଼ା ରାଜଧାନୀର ସଙ୍କଳ୍ପ ନେଇଥିବା ଓଡ଼ିଶା ସରକାର ଲଗାତାର ହକି ବିଶ୍ବକପ୍‌ ଆ‌‌ୟୋଜନ ଅଧିକାର ପାଇଛି। ୨୦୧୮ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ସଫଳତାର ସହ ହକି ବିଶ୍ବକପ୍‌ର ଚତୁର୍ଦଶ ସଂସ୍କରଣ ଖେଳାଯାଇଥିଲା। ଏବେ ପଞ୍ଚଦଶ ସଂସ୍କରଣ କଳିଙ୍ଗ ଷ୍ଟାଡିୟମ୍‌ ସହିତ ସୁନ୍ଦରଗଡ଼ର ରାଉରକେଲାରେ ୨୦୨୩ ଜାନୁଆରି ମାସରେ ଖେଳାଯିବାକୁ ଧାର୍ଯ୍ୟ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ