ନୂଆଦିଲ୍ଲୀ: କରୋନା ଟିକା ପାଇଁ କେତେକ କମ୍ପାନି ଅନୁମତି ମାଗିବା ପରେ ଆଜି ଟିକାକରଣର ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର୍ଯ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ ବୋଲି ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି।
ରାଜ୍ୟମାନଙ୍କୁ ଦିଆଯାଇଥିବା ଗାଇଡଲାଇନ ଅନୁଯାୟୀ, କୋଭିଡ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ (କୋ-ୱିନ) ସିଷ୍ଟମ ଟିକାକରଣ ଏବଂ ଆଣ୍ଟି-କରୋନାଭାଇରସ୍ ଟିକା ପାଇଁ ତାଲିକାଭୁକ୍ତ ହିତାଧିକାରୀଙ୍କୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହେବ। ଟିକାକରଣ କେନ୍ଦ୍ରରେ କେବଳ ପୂର୍ବରୁ ପଞ୍ଜିକୃତ ହିତାଧିକାରୀଙ୍କୁ ପ୍ରାଥମିକତା ଅନୁଯାୟୀ ଟିକା ଦିଆଯିବ। ଟିକା ନେବା ପାଇଁ ଲୋକଙ୍କୁ ପୂର୍ବରୁ ପଞ୍ଜିକରଣ କରିବାକୁ ହେବ। ଟିକାକରଣ କେନ୍ଦ୍ରକୁ ଯାଇ ଲୋକଙ୍କୁ ପଞ୍ଜିକରଣ କରିବାର ସୁବିଧା ଦିଆଯିବ ନାହିଁ। ଟିକା ରହିଥିବା ଆଇସବକ୍ସକୁ କୌଣସି ପରିସ୍ଥିତିରେ ଖରାକୁ ଆସିବାକୁ ଦିଆଯିବ ନାହିଁ ଏବଂ ଟିକା ମିଶ୍ରଣକୁ ଏଡାଇବା ପାଇଁ ଗୋଟେ ଜିଲ୍ଲାକୁ କେବଳ ଗୋଟେ କମ୍ପାନିର ଟିକା ହିଁ ଦିଆଯିବ। ଟିକାକରଣ ପାଇଁ କେନ୍ଦ୍ରକୁ ଜଣେ ହିତାଧିକାରୀ ନଆସିବା ପର୍ଯ୍ୟନ୍ତ ଟିକା ରଖାଯାଇଥିବା ଆଇସବକ୍ସକୁ ବନ୍ଦ କରି ରଖାଯିବ।
ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ୫ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ଚାରିଜଣ ସାହାଯ୍ୟ କରିବେ | ମୁଖ୍ୟ ବ୍ୟକ୍ତି ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ କିମ୍ବା ଇଞ୍ଜେକ୍ସନ ଦେବା ପାଇଁ ଆଇନଗତ ଭାବେ ଯୋଗ୍ୟ ବ୍ୟକ୍ତି ହୋଇଥିବା ଦରକାର | ଦ୍ୱିତୀୟ ଅଧିକାରୀ ସୁରକ୍ଷା ପାଇଁ ରହିବେ, ଯିଏ ଉପଭୋକ୍ତା ପଞ୍ଜିକରଣ ଯାଞ୍ଚ କରିବେ ଏବଂ ଟିକାକରଣ କେନ୍ଦ୍ରର ପ୍ରବେଶ ପଥ ଜଗିବେ। ତୃତୀୟ ଅଧିକାରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ଚତୁର୍ଥ ଏବଂ ପଞ୍ଚମ ଅଧିକାରୀ ଭିଡ଼ ପରିଚାଳନା ଏବଂ ଯୋଗାଯୋଗ ପାଇଁ ରହିବେ।
ଏହା ସହ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା, ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ୩ଟି କକ୍ଷ ରହିବ। ଗୋଟିଏ ଦିନରେ ଯେକୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯିବ, ତାକୁ ପରବର୍ତ୍ତୀ ଅଧଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣ କକ୍ଷରେ ତତ୍ତ୍ୱାବଧାନରେ ରଖାଯିବ। ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟାା ଦେଖାଯାଏ, ତେବେ ତୁରନ୍ତ ତାଙ୍କର ଚିକିତ୍ସା କରାଯିବ। କରୋନା ଟିକା ନେବା ପାଇଁ ଟିକାକରଣ କୋଠରୀ ପ୍ରସ୍ତୁତ କରାଯିବ | ଏହି କୋଠରୀଗୁଡ଼ିକରେ, ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ଯିବାକୁ ଅନୁମତି ଦିଆଯିବ | ଟିକାକରଣ ଅଭିଯାନ ସମୟରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।