ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ପ୍ରଥମ : ବିନା ମାଟିରେ ଚାଷ

ଜଗତସିଂହପୁର ଟାଉନ୍, (ସୋମନାଥ ପରିଡ଼ା): ବିନା ମାଟିରେ ଚାଷ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କେବଳ ପାଣିରେ ବଢୁଥିବା ଗଛକୁ ନେଇ ହାଇଡ୍ରୋପୋନିକ ପ୍ରଣାଳୀରେ ଚାଷ କରି ସ୍ବତନ୍ତ୍ରତା ହାସଲ କରିଛନ୍ତି ଆଶିଷ ମହାନ୍ତି। ଜଗତସିଂହପୁରର ଏହି ୨୯ ବର୍ଷୀୟ ଯୁବକ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଚାଷ କରି ‘ଲିଫ୍ ଭେଜିଟେବୁଲ୍’ ଉତ୍ପାଦନ ଆରମ୍ଭ କରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା ଦେଉଛନ୍ତି।

ଆଶିଷଙ୍କ ଘର ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସୁଜଙ୍ଗରେ। ବାପା ନରୋତ୍ତମ ମହାନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ମା କିରଣବାଳା ମହାନ୍ତି ଗୃହିଣୀ। ତିନି ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଆଶିଷ। ଜଗତସିଂହପୁର ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି ବିଜ୍ଞାନରେ କୃତିତ୍ବର ସହ ଉତ୍ତର୍ଣ୍ଣ ହେବା ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିଏସ୍‌ଏସ୍‌ୟୁଟି) ରସାୟନ ବିଜ୍ଞାନରେ ଏମ୍ଏସ୍‌ସି କରିଛନ୍ତି। ଏହାପରେ ହାଇଦ୍ରାବାଦ୍‌ରେ ଏସିଆନ୍ ପେଣ୍ଟ କମ୍ପାନିରେ ପ୍ରଡକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ମୋଟା ଅଙ୍କର ଦରମା ପାଉଥିଲେ ବି ଆତ୍ମନିର୍ଭରଶୀଳ ହେବାକୁ, ବିଶେଷକରି ନିଜ ଜନ୍ମମାଟିରେ କିଛି ନା କିଛି କରିବା ପାଇଁ ପ୍ରୟାସ କରୁଥିବା ଆଶିଷ ହାଇଡ୍ରୋପୋନିକ୍ ଚାଷ ସଂପର୍କରେ ଜାଣିବା ପରେ ଜ୍ଞାନ ଆହରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ହାଇଦ୍ରାବାଦ୍‌ରେ ବନ୍ଧୁ ପ୍ରଜ୍ଞା ପାରମିତା ସାହୁଙ୍କ ସହ ବିଧିବଦ୍ଧ ଭାବେ ଏ ସଂପର୍କରେ ତାଲିମ ନେବା ପରେ କମ୍ପାନିରୁ ଛୁଟି ଆଣି ଘରକୁ ଆସି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୯ ମସିହା ଶୀତ ଦିନେ ପ୍ରଥମଥର ପାଇଁ ନିଜର ଛାତ ଉପରେ ପରୀକ୍ଷାମୂଳକ ଭାବେ ୮୦୦ ବର୍ଗ ଫୁଟ୍‌ରେ ୨୪୦୦ ଲିଫ୍‌ ଭେଜିଟେବୁଲ୍ ଏବଂ ଏକଜୋଟିକ୍ ଭେଜିଟେବୁଲ୍ ଗଛ ଲଗାଇଥିଲେ। ଏଥିରେ ଲିଫ୍ ଭେଜିଟେବୁଲ୍– ଲାଟୁସ୍‌, ସିଲେରୀ, କେଲ୍, ପକ୍ଚୟ, ବେସିଲ୍ ଏବଂ ଏକଜୋଟିକ୍ ଭେଜିଟେବୁଲ– ବେଲ୍ ପେପର, ବ୍ରୋକଲି ଓ ଚେରି ଟମାଟୋ ଚାଷ କରିଥିଲେ। ଏଥିରେ ସଫଳ ହେବା ଓ ବଜାରରେ ଏହାର ଚାହିଦା ଆଶିଷଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦେଇଥିଲା। ଫଳରେ ଚାକିରି ଛାଡ଼ି ନିଜର ସ୍ବତନ୍ତ୍ର ଫାର୍ମ ହାଇଡ୍ରୋ ଭ୍ୟାଲି ପ୍ରସ୍ତୁତ କରିଥିଲେ। ଏଥିପାଇଁ ବାପା–ମା, ଭଉଣୀ ଓ ଭିଣୋଇଙ୍କଠାରୁ ପ୍ରୋତ୍ସାହନ ବି ପାଇଥିଲେ। ସେ ଏବେ ନିଜ ଘର ନିକଟରେ ସ୍ବତନ୍ତ୍ର ଭାବେ ପଲ୍ଲୀ ହାଉସ୍‌ (ଶୀତ ତାପ ନିୟନ୍ତ୍ରିତ ଘର) ତିଆରି କରି ଚାଷ ଆରମ୍ଭ କରିଛନ୍ତି। ୨୩୦ ବର୍ଗ ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଫାର୍ମରେ ଭର୍ଟିକାଲି ଭେରାଇଟ୍‌ର ପ୍ରାୟ ୩ ହଜାରରୁ ଅଧିକ ଗଛ ରହିଛି।

ଏହାର ସ୍ବତନ୍ତ୍ରତା ହେଉଛି ଯେ କମ୍ ସ୍ଥାନରେ ଓ (୯୦ ପ୍ରତିଶତ) କମ୍ ପାଣି, ବିନା କେମିକାଲ ଓ ବିନା ପେଷ୍ଟିସାଇଡ୍‌ରେ ଏହି ଚାଷ କରାଯାଉଛି। କେବଳ ପାଣିରେ ଚାଷ ହେଉଥିବାରୁ ଏଥିରେ ଭୂତଳ ଜଳର ବ୍ୟବହାର କରାଯାଉଛି। ଏସବୁ ସାମଗ୍ରୀରେ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଥାଏ। ଚାଷ ପରେ ନିଜର ସାମଗ୍ରୀକୁ ବିକ୍ରି କରିବା ପାଇଁ ସେ ଅନ୍‌ଲାଇନ୍ ଅର୍ଡର ବି ନେଉଛନ୍ତି। ଜଗତସିଂହପୁର ସମେତ କଟକ, ଭୁବନେଶ୍ବର, ପୁରୀ, କେନ୍ଦୁଝରର ବିଭିନ୍ନ ରେଷ୍ଟୁରାଣ୍ଟ୍, ତାରକା ହୋଟେଲ୍ ଓ ଘରୋଇ ଲୋକଙ୍କୁ ସେ ଏହାକୁ ଯୋଗାଉଛନ୍ତି। ଏସବୁ ସାମଗ୍ରୀ ଏଠାରେ ଚାଷ ହେଉ ନଥିବାରୁ ବାଙ୍ଗାଲୋର, କୋଲକତା ଓ ଦିଲ୍ଲୀରୁ ଓଡ଼ିଶାକୁ ଟ୍ରେନ୍ ଓ ପ୍ଲେନ୍‌ରେ ଆସୁଛି। କିନ୍ତୁ ଗ୍ରାହକ ସତେଜ ଜିନିଷ ପାଇ ପାରନ୍ତି ନାହିଁ। ଯେହେତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଚାଷ ହେଉଛି, ତେଣୁ ଆଶିଷଙ୍କ ଫାର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫାର୍ମରେ ଚାଷ କାର୍ଯ୍ୟକୁ ନିଜେ ଆଶିଷ ଦେଖୁଥିବା ବେଳେ ବନ୍ଧୁ ପ୍ରଜ୍ଞା ପାରମିତା ମାର୍କେଟିଂ ଦାୟିତ୍ବ ତୁଲାଉଛନ୍ତି। ତେବେ କମ୍‌ ତାପମାତ୍ରା ଥିବା ରାଜ୍ୟ ଗୁଡ଼ିକରେ ଏଭଳି ଚାଷ କରାଯାଏ। ବନ୍ୟା, ବାତ୍ୟା ପ୍ରଭାବିତ ଉପକୂଳ ଓଡ଼ିଶାର ଜଳବାୟୁ ଏ ଚାଷ ପାଇଁ ଉପଯୁକ୍ତ ନଥିବା ସତ୍ତ୍ବେ ଆଶିଷ ଏହାକୁ ଏକ ଚାଲେଞ୍ଜ ଭାବେ ନେଇ ଆଗକୁ ବଢୁଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ