ବାରାଣାସୀ ୦୭/୧୧ : ହିନ୍ଦୁ ଧର୍ମରେ ପ୍ରକାଶର ସନ୍ଦେଶ ଦେଉଥିବା ପର୍ବ ଦୀପାବଳି ଏକ ସ୍ୱତନ୍ତ୍ର ପର୍ବ। ଭାରତରେ ଦୀପାବଳି କେବଳ ଯେ ହିନ୍ଦୁ ପାଳନ କରନ୍ତି ତା’ ନୁହେଁ। ଏଠାରେ ସବୁ ଧର୍ମର ଲୋକେ ଦୀପ ଲଗାଇ ବାଣ ଫୁଟାଇ ଦୀପାବଳି ପାଳନ କରନ୍ତି। ଚଳିତ ବର୍ଷ ନଭେମ୍ବର ୧୪ ତାରିଖରେ ଦୀପାବଳି ପଡିବ। ଏଥିପାଇଁ ଦୀପ ବିକ୍ରି ଆରମ୍ଭ ହୋଇଗଲାଣି। କାଶୀର ମୁସଲମାନ ସମ୍ପ୍ରଦାୟର ମହିଳାମାନେ ପ୍ରଭୁ ଶ୍ରୀରାମ ରୂପକ ଦୀପ ତିଆରି କରୁଛନ୍ତି। କାଶୀ ଭଗବାନ ଶିବଙ୍କ ନଗରୀ କିନ୍ତୁ ଏବେ ସେଠାରେ ପ୍ରଭୁ ଶ୍ରୀରାମଙ୍କ ନାମ ଗୁଞ୍ଜରଣ ହେଉଛି। ମୁସଲମାନ ମହିଳା ଶ୍ରୀରାମ ରୂପକ ଦୀପ ତିଆରି କରିବ ଧାର୍ମିକ ସମନ୍ଵୟ ଭାବନାକୁ ମଜବୁତ କରିବ।

ଆଉ କିଛି ଦିନ ପରେ ଦେଶରେ ଦୀପାବଳି ପର୍ବ ପାଳନ ହେବ। ଏହି ଅବସରରେ କାଶୀରେ ମୁସଲମାନ ମହିଳାମାନେ ଶ୍ରୀରାମ ରୂପକ ଦୀପ ତିଆରି କରୁଛନ୍ତି। ମୁସଲମାନ ମହିଳାମାନେ କହିଛନ୍ତି ଯେ ଏହି ପଦକ୍ଷେପ ଧାର୍ମିକ ହିଂସା କରୁଥିବା ଲୋକଙ୍କୁ ଜବାବ ଦେବ ଏବଂ ଭାଇଚାରା ସୃଷ୍ଟି କରିବ। ମୁସଲମାନ ମହିଳା ତିଆରି କରୁଥିବା ଏହି ଦୀପ ଅଯୋଧ୍ୟା ପଠାଯିବ। ଏହାସହ ଦେଶର ଅନେକ ସ୍ଥାନକୁ ମଧ୍ୟ ପଠାଯିବ।
ଚଳିତବର୍ଷ ଦୀପାବଳି ଅତ୍ୟନ୍ତ ଖାସ ହେବାକୁ ଯାଉଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ଦୀପାବଳିର ମହତ୍ୱ ମଧ୍ୟ ଖାସ ରହିଛି। ମୁସଲମାନ ସମ୍ପ୍ରଦାୟର ମହିଳାମାନେ ଦୀପ ତିଆରି କରି ବିଶ୍ୱକୁ ଭାଇଚାରା ସହ ଦୀପାବଳି ପାଇଁ ଶୁଭେଚ୍ଛାର ସନ୍ଦେଶ ଦେଉଛନ୍ତି।
ମୁସଲମାନ ମହିଳା ଫାଉଣ୍ଡେସନର ମହିଳାମାନେ ପ୍ରତିବର୍ଷ ଦୀପାବଳିରେ ଦୀପ ତିଆରି କରନ୍ତି। ଚଳିତବର୍ଷ ଏମାନେ ରାମଙ୍କ ସ୍ୱରୂପ ବିଶିଷ୍ଟ ଦୀପ ତିଆରି କରିଛନ୍ତି। ଗାଈ ଗୋବରରେ ତିଆରି ଦୀପକୁ ନାନା ରଙ୍ଗରେ ରଙ୍ଗ କରି ସଜେଇଛନ୍ତି।
ଦେଶର ନେତା ରାଜନେତା ସାମ୍ପ୍ରଦାୟିକ କଥାବାର୍ତ୍ତା କଲେ ସୁଦ୍ଧା କାଶୀ ସର୍ବଦା ସାମ୍ପ୍ରଦାୟିକ ସମନ୍ଵୟର ସନ୍ଦେଶ ଦେଇଥାଏ। ଫାଉଣ୍ଡେସନର ଜଣେ ମହିଳା ନଜମା ପରବୀନ କହିଛନ୍ତି ଯେ ଏହି ଦୀପ ଅଯୋଧ୍ୟାକୁ ମଧ୍ୟ ପଠାଯିବ ଯେପରି ଭଗବାନ ଶ୍ରୀରାମଙ୍କ ନଗରୀରେ କାଶୀର ସାମ୍ପ୍ରଦାୟିକ ସମନ୍ଵୟ ରୂପକ ଦୀପର ପ୍ରକାଶ ହୋଇପାରିବ।

