ଜଗତସିଂହପୁର, ୩/୧୧ : ଜଗତସିଂହପୁର ଜିଲ୍ଲାର ଜୁନିଅର ମହିଳା ହକି ଦଳକୁ ସଫଳତା। ରାଜ୍ୟ ସ୍ତରୀୟ ଜୁନିୟର ହକି ପ୍ରତିଯୋଗିତାରେ ପୁରୀ ଜିଲ୍ଲାକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା ଟିମ୍। ଭୁବନେଶ୍ୱର କିଟ୍ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ ମ୍ୟାଚରେ ପୁରୀ ଜିଲ୍ଲାକୁ ୭-୦ ବ୍ୟବଧାନରେ ହରାଇଛି।
ଜଗତସିଂହପୁରର ଏହି ହକି ଦଳର ସମସ୍ତ ଖେଳାଳୀ ଡି.ଏ.ଭି, ପି.ପି.ଏଲ ସ୍କୁଲର ଛାତ୍ରୀ ଅଟନ୍ତି । ପି.ପି.ଏଲ ପାରାଦ୍ୱୀପ ଦ୍ଵାରା ପରିଚାଳିତ ଏହି ସ୍କୁଲର ହକି ଖେଳାଳୀମାନଙ୍କୁ ପି.ପି.ଏଲ ପାରାଦ୍ୱୀପ ତରଫରୁ ହକି ଖେଳର ଉପକରଣ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି।
ଛାତ୍ରୀମାନଙ୍କର ଏହି ଵିଜୟରେ ପିପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟ ମନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ଖୁସି ବ୍ୟକ୍ତ କରିବା ସହ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଏଭି ପିପିଏଲ ସ୍କୁଲର ଅଧକ୍ଷ ସଞ୍ଜୀବ କୁମାର ସାହୁ, ଡିଏଭି ଇଫକୋର ଅଧ୍ୟକ୍ଷ ତଥା କ୍ଲସଟର ମୁଖ୍ୟ ବଳରାମ ମହାପାତ୍ର, ଜଗତସିଂହପୁର ଜିଲ୍ଲାର କ୍ରୀଡ଼ା ଅଧିକାରୀ ଓ ଅନ୍ୟମାନେ ଏହି ହକି ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶାଶ୍ୱତ କୁମାର ଭାରତୀୟ ପ୍ରଶିକ୍ଷକ ଓ କୁମାରୀ ଦିପ୍ତୀରେଖା ଦାସ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଥିଲେ।