ଅପରାଧ ରାଜ୍ୟ

ରାସ୍ତା ପାଇଁ କୋଟିକୋଟି ବରବାଦ; ଅଳ୍ପଦିନରେ ନଷ୍ଟ ହେଉଛି, ପୁଣି ତିଆରି ହେଉଛି

କୋଇଡା (ସୁନ୍ଦରଗଡ଼) : ଖଣି ରାଜଧାନୀ କୁହାଯାଉଥିବା କୋଇଡା ଅଞ୍ଚଳରେ ରାସ୍ତା ପାଇଁ କୋଟିକୋଟି ଟଙ୍କା ବରବାଦ ହେଉଥିବା ଦେଖିବାକୁ ମିଳୁଛି। ଅଳ୍ପଦିନ ମଧ୍ୟରେ କୋଟିକୋଟି ଟଙ୍କାର ରାସ୍ତା ନଷ୍ଟ ହେଉଛି, ପୁଣି କୋଟିକୋଟି ଟଙ୍କାରେ ତିଆରି ହେଉଛି। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରାଯାଉଛି। ଫଳରେ, ଏହି ରାସ୍ତା ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନା ଖଣି ଓ ଖଣି ମାଲିକଙ୍କ ପାଇଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସୂଚନା ଅନୁସାରେ, ଲୋକଙ୍କ ଗମନାଗମନ ପାଇଁ ତିଆରି ହୋଇଥିବା ଏ ଅଞ୍ଚଳର ରାସ୍ତାଗୁଡ଼ିକରେ ଖଣିଜବାହୀ ଭାରୀ ଟ୍ରକ୍‌ ଅବାଧରେ ଯା’ଆସ କରୁଛନ୍ତି। ଖଣି ଓ ଶିଳ୍ପ ଲବିର ଚାପରେ ସେଥିପାଇଁ ପ୍ରଶାସନ ମଧ୍ୟ ଅନୁମତି ଦେଉଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ବ୍ଲକ୍‌ ଅଭ୍ୟନ୍ତରର ଛୋଟ ବଡ଼ ରାସ୍ତାସବୁ ମଧ୍ୟ ଅଳ୍ପ ଦିନ ଭିତରେ ନଷ୍ଟଭ୍ରଷ୍ଟ ହୋଇ ଯାଉଛି। ଏହାକୁ ନେଇ ପ୍ରଶାସନ କିନ୍ତୁ ଆଦୌ ଚିନ୍ତିତ ନୁହେଁ। କାରଣ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍)ରେ କୋଟି କୋଟି ଟଙ୍କା ମହଜୁଦ ଅଛି, ଯାହାକୁ ରାସ୍ତାର ପୁନଃନିର୍ମାଣରେ ପୁଣି ଖର୍ଚ୍ଚ କରାଯାଉଛି। କୋଇଡ଼ା ବ୍ଲକ୍‌ ସଦରମହକୁମାରୁ କଳମଙ୍ଗ, ତେହେରାଇରୁ କଳମଙ୍ଗ , ମିଥିର୍ଡାରୁ କଦଳିଆ, କଦଳିଆରୁ ମଣ୍ଡଜୋଡା ଆଦି ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ତଥା ଥରକୁଥର ନଷ୍ଟ ହୋଇ ତିଆରି କରାଯାଉଥିବା ରାସ୍ତାଗୁଡ଼ିକ ଗୋଟିଏ ‌ଗୋଟିଏ ଏହାର ଉଦାହରଣ।

୧୨ କୋଟି ବ୍ୟୟରେ କୋଇଡାରୁ କଳମଙ୍ଗ ରାସ୍ତାର ନିର୍ମାଣ କରାଯାଇଥିଲା। କିନ୍ତୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ତିଆରି ହୋଇଥିବା ଏହି ରାସ୍ତାରେ ଖଣିଜ ପରିବହନ ପାଇଁ ଅଳ୍ପଦିନ ଭିତରେ ଅନୁମତି ଦିଆଗଲା। ତେଣୁ, ଅଳ୍ପ କାଳ ଭିତରେ ସେ ରାସ୍ତାର ଚିହ୍ନବର୍ଣ୍ଣ ରହିଲା ନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯେଉଁ ରାସ୍ତାର କ୍ଷମତା ବାଇକ୍ , ଛୋଟଗାଡ଼ି ଓ ଲୋକଙ୍କ ଗମନାଗମନ ପାଇଁ ତିଆରି କରା ଯାଇଥିଲା, ସେଥିରେ ୪୦ ଟନ୍‌ର ବଡ଼ବଡ଼ ଟ୍ରକ୍‌ ଚାଲିଲା, ଫଳରେ ରାସ୍ତା ମାସକ ମଧ୍ୟରେ ନଷ୍ଟହୋଇ ଛୋଟପିଲା ବୁଡ଼ିଲା ଭଳି ଖାଲ ତିଆରି ହୋଇଗଲା।

ସେହିପରି, ତେହେରେଇ ଛକଠାରୁ କଳମଙ୍ଗ ଛକ ଯାଏଁ ୯.୫ କୋଟି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ, ୨-୩ ବର୍ଷ ଭିତରେ ତା’ର ଅବସ୍ଥା ଏମିତି ଯେ ଏବେ ମାଲଦା ପଞ୍ଚାୟତର ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।