ବାଲେଶ୍ବର: ବାଲେଶ୍ବର ଉତ୍କଳ ବାଳାଶ୍ରମରେ ଅନାଥ, ଗରିବ ଓ ଅସହାୟ ପିଲାଙ୍କ ନିମନ୍ତେ ଆସିଥିବା ଟଙ୍କାକୁ ବି ଶେଷରେ ଆତ୍ମସାତ୍ କରିଦେଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବାଲେଶ୍ବର ଜିଲ୍ଲାକୁ ଆସିଥିବା ଟଙ୍କାର ବ୍ୟାପକ ଅର୍ଥ ହେରାଫେରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହି ଅନିୟମିତତାର ପର୍ଦାଫାଶ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅସଲ ମୁଖା ଖୋଲିଦେଇଛି। ତେବେ ଘଟଣାର ତଦନ୍ତ କରାଯାଇ ରିେପାର୍ଟ ପାଇବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ବାଲେଶ୍ବର ଜିଲ୍ଲାପାଳଙ୍କ ତରଫରୁ ସୁପାରିଶ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ବାଲେଶ୍ବର ଉତ୍କଳ ବାଳାଶ୍ରମରେ ରହୁଥିବା ଅନାଥ ତଥା ଅସହାୟ ପିଲାମାନଙ୍କ ଲାଗି ବିଭିନ୍ନ ସାମଗ୍ରୀ କିଣା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଡିସେମ୍ବର ମାସ ୨୦୧୬ ମସିହାରେ ଟେଣ୍ଡର ପ୍ରକାଶ ପାଇଥିଲା। ଯେଉଁଥିରେ ବାଲେଶ୍ବରର ୨ଜଣ ବ୍ୟବସାୟୀଙ୍କୁ ଟେଣ୍ଡର ଦିଆଯାଇଥିଲା। ମାତ୍ର ଏହି ଟେଣ୍ତର ସାମଗ୍ରୀ ସେତେବଳେ କିଣାନଯାଇ ୨୦୨୦ ମସିହାରେ କିଣାଯାଇଥିଲା। ଏନେଇ ଟେଣ୍ଡର ପାଇଥିବା ବିକ୍ରମ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ତାଙ୍କ କୋଟେସନରେ ଏହା ଉଲ୍ଲେଖ କରିଛନ୍ତି। ଗୋଟିଏ ବେଡ୍ସିଟର ମୂଲ୍ୟ ୧୫୫ ଟଙ୍କା ଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହାକୁ ୪୩୩ ଟଙ୍କା ଦେଇ କିଣାଯାଇଥିବା ଜଣାଯାଇଛି। ସେହିପରି ଗୋଟିଏ କମ୍ବଳର ମୂଲ୍ୟ କୋଟେସନରେ ୨୫୫ ଟଙ୍କା ରହିଥିବା ବେଳେ ଏଠାରେ ତାହା ୪୩୩ ଟଙ୍କା ବୋଲି ଉଲ୍ଲେଖ ରହିଛି।
ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୭ ମସିହାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ସାମଗ୍ରୀ ଯୋଗାଇଥିବା ସଂସ୍ଥାର ବିଲକୁ ଅନୁଧ୍ୟାନ କଲେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଆଶଙ୍କା କରାଯାଉଛି। ସଂସ୍ଥା ପକ୍ଷରୁ ତା- ୩୦.୧୧.୨୦୧୯ ରିଖରେ ବିଲ୍ ନମ୍ବର ୭୦ରୁ ୭୮ ଦାଖଲ ହୋଇଥିବା ବେଳେ ଏହାର ଏକମାସ ପରେ ବିଲ୍ ୭୯ରୁ ୮୬ ପର୍ଯ୍ୟନ୍ତ ବିଲ୍ ଦାଖଲ ହୋଇଛି। ଅର୍ଥାତ୍ ମାସକ ମଧ୍ୟରେ ଉକ୍ତ ସଂସ୍ଥା ପକ୍ଷରୁ ଗୋଟିଏ ବିଲ୍ କାହିଁକି କଟାଯାଇନାହିଁ, ସେନେଇ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଳି ଉପରକୁ ଆଙ୍ଗୁଳି ଉଠିଥିଲା। ଏପରିକି ବାଳାଶ୍ରମ ନାଁରେ ଥିବା ବ୍ୟାଙ୍କ୍ ଆକାଉଣ୍ଟରୁ ୨୦୨୦ ମସିହାରେ ୮୬ ହଜାର ଟଙ୍କା ତା-୧୨.୭.୨୦୨୦ ରିଖରେ ଅନ୍ୟ ଏକ ଆକାଉଣ୍ଟ୍କୁ ଟ୍ରାନ୍ସଫର୍ କରାଯାଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଅନିୟମିତତା ହୋଇଥିବା ତଦନ୍ତରେ ଜଣାପଡ଼ିଥିଲା। ସେ ଆକାଉଣ୍ଟ୍ କାହାର ଏବଂ କାହିଁକି ସେ ଆକାଉଣ୍ଟ୍କୁ ବାଳାଶ୍ରମ ଆକାଉଣ୍ଟ୍ରୁ ଟଙ୍କା ଟ୍ରାନ୍ସଫର୍ କରାଯାଇଥିଲା, ସେ ନେଇ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଟେଣ୍ତର ମୂଲ୍ୟରେ ଥିବା ରିଫାଇନ୍ ତେଲ ଟିଣ ପିଛା ଅଧିକ ମୂଲ୍ୟରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ବାଳାଶ୍ରମକୁ ଯୋଗାଣ ହେବା ଓ ବାଳାଶ୍ରମ ପକ୍ଷରୁ ତାହା ଅଧିକ ମୂଲ୍ୟ ଥିବା ବିଲ୍ ଅନୁସାରେ ଉକ୍ତ ସଂସ୍ଥାକୁ ପୈଠ କରାଯିବା ଘଟଣାକୁ ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା। ସର୍ବୋପରି ପିଲାଙ୍କ ବେଡ୍ସିଟ, ତକିଆ ଖୋଳ ଓ କମ୍ବଳ ମଧ୍ୟ ଟେଣ୍ତର ମୂଲ୍ୟଠାରୁ ଅଧିକ ମୂଲ୍ୟରେ କ୍ରୟ ସଂକ୍ରାନ୍ତ ବିଲ୍ ଦାଖଲ ଓ ପୈଠ ପଛରେ ବାଳାଶ୍ରମ କର୍ତ୍ତୃପକ୍ଷ ଅର୍ଥାତ୍ ଅଧୀକ୍ଷକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।
ଆର୍ଟିଆଇରୁ ଏହି ତଥ୍ୟ ପାଇବା ପରେ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ ବାଲେଶ୍ବର ଜିଲ୍ଲାପାଳ, ସଚିବ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ବାଳାଶ୍ରମ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧର ତୁରନ୍ତ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏହାର ବିଧିବଦ୍ଧ ତଦନ୍ତ କରିବା ପରେ ଆର୍ଥିକ ହେରାଫେର ହୋଇଥିବା ପ୍ରମାଣ ପାଇବା ପରେ ବାଳାଶ୍ରମ ସୁପରିନ୍ଟେଣ୍ଡେଟ୍ ତଥା ଜିଲ୍ଲା ଶିଶୁ ସୁରକ୍ଷା ଦାୟିତ୍ବରେ ଥିବା ଯୁବକ ମାଝୀଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି