ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ ରିପୋର୍ଟ କେଳେଙ୍କା‌ରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ

କଟକ : କୋଭିଡ୍‌ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ଗୁମର ଫିଟୁଛି। ବାସ୍ତବରେ ରୋଗୀ ନଥାଇ ମିଛ ଲୋକଙ୍କ ନାମରେ ରିପୋର୍ଟ ପ୍ରସ୍ତୁତ କରି ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦର୍ଶାଯାଉଥିବା ଘଟଣା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଗତକାଲି ଏଭଳି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବାପରେ ଆଜି କଟକରୁ ସ୍ବାସ୍ଥ୍ୟ ବିଭାଗର ଆରଆରଟି ଟିମ୍‌ ତିଗିରିଆ ବ୍ଲକ୍‌ ବିନ୍ଧାଣିମା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଗତକାଲି ପଜିଟିଭ୍‌ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂପର୍କରେ ଜାଣିବାକୁ ଉଦ୍ୟମ କରିଥିଲେ। ହେଲେ, ବ୍ଲକ୍‌ରେ ଗତକାଲି ଚିହ୍ନଟ ହୋଇଥିବା ୧୭ ଜଣଙ୍କର ମଧ୍ୟରୁ ଜଣକୁ ବି ତଦନ୍ତ ଟିମ୍ ଖୋଜି ପାଇ ନଥିଲେ। ଏଭଳି ସ୍ଥିତିରେ ସଂକ୍ରମିତ ଭୁଲ୍‌ ମୋବାଇଲ ନମ୍ବର ଦେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ସଫେଇ ଦିଆଯାଇଛି। କିନ୍ତୁ, ଏକ ଛୋଟ ବ୍ଲକ୍ ଅଞ୍ଚଳରୁ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ବି ଠାବ କରା ଯାଇ ନପାରିବା ଘଟଣାକୁ ନେଇ ପ୍ରଶ୍ନ ଉଠିବାରୁ ଏ ସଂପର୍କରେ ଖୋଳତାଡ଼ ପାଇଁ ଆଶା କର୍ମୀ ଓ ଏଏନ୍‌ଏମ୍‌ଙ୍କୁ ଦାୟିତ୍ବ ଦେଇ ତଦନ୍ତ ଟିମ୍ ଚାଲିଆସିଥିବ‌ା ଜଣାପଡ଼ିଛି।

ବିନ୍ଧାଣିମା ଡାକ୍ତରଖାନାରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଛାନ୍‌ଭିନ୍‌
କୋଭିଡ୍‌ ପରୀକ୍ଷା ଆଳରେ ଜିଲ୍ଲାରେ ମାସକୁ ଖର୍ଚ୍ଚ ୨୦ ଲକ୍ଷ

କୋଭିଡ୍‌ ରିପୋର୍ଟକୁ ନେଇ କଟକ ଜିଲ୍ଲାର ତିଗିରିଆର ବଡ଼ଧରଣର ଦୁର୍ନୀତି ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। କେବଳ ତିଗିରିଆରେ ନୁହେଁ, ବରଂ ଅଧିକାଂଶ ସ୍ଥାନରେ ଏଭଳି ଅଧିକ ସଂକ୍ରମିତ ସଂଖ୍ୟା ଦର୍ଶାଇବା କେଳେଙ୍କାରୀ ଚାଲିଛି ବୋଲି ଅଭିଯୋଗ ହେଉଛି। କୋଭିଡ ପରୀକ୍ଷା ପାଇଁ ବିଲକୁଲ୍‌ ସ୍ବାବ୍ ଦେଇ ନଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ସଂକ୍ରମିତ ଦର୍ଶାଯାଉଛି। ମିଛ ବ୍ୟକ୍ତି, ମିଛ ଠିକଣା ଆଉ ମିଛ ଫୋନ ନମ୍ବର ଦେଇ କୋଭିଡ୍ ସଂକ୍ରମିତଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଆଜି ଏ ସଂପର୍କରେ ‘ସମ୍ବାଦ’ରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ତଦନ୍ତ କରି ରିପୋର୍ଟକୁ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରାପିଡ୍‌ ରେସ୍‌ପନ୍ସ ଟିମ୍‌ (ଆରଆରଟି)ରେ ମହାମାରୀ ବିଶେଷଜ୍ଞ ତଥା ଏପିଡୋମୋଲୋଜିଷ୍ଟ ଡାକ୍ତର ଦିଲ୍ଲୀପ କୁମାର ତରାଇ ଓ ମାଇକ୍ରୋବାୟୋଲୋଜିଷ୍ଟ ବିବେକାନନ୍ଦ ପଣ୍ଡା ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଗତ ୧୩ ତାରିଖ ଦିନ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରୁ ୨୩ଟି ନମୁନା ପରୀକ୍ଷା ପାଇଁ ଏସ୍‌ସିବି ଭିଆରଡିଏଲ୍‌ ଲାବ୍‌କୁ ଆସିଥିଲା। ଯେଉଁଥିରୁ ୧୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତ ୧୭ଜଣଙ୍କୁ ଉକ୍ତ ଟିମ୍‌ ତାଲିକା ଅନୁସାରେ ଦିଆଯାଇଥିବା ମୋବାଇଲ ନମ୍ବରକୁ କଲ୍‌ କ‌ରିଥିଲେ। ହେଲେ, ଅଧିକାଂଶ ନମ୍ବର ବୈଧ ନଥିବା ବେଳେ କେତୋଟି ନମ୍ବରରେ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏ ସଂପର୍କରେ ଏଡିଏମ୍‌ଓ ଡାକ୍ତର ଲୋକନାଥ ପାତ୍ର କହିଛନ୍ତି ଯେ ଟିମ୍‌ ତଦନ୍ତ ପାଇଁ ଯାଇଥିଲେ ଏବଂ ଏ ସଂପର୍କିତ ଏକ ରିପୋର୍ଟ ସିଡିଏମ୍‌ଓଙ୍କୁ ପ୍ରଦାନ କରାଯାଇଛି।

ଏଭଳି ସ୍ଥିତିରେ ଗତକାଲି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୬ ଥିବାବେଳେ ଆଜି ଏହି ସଂଖ୍ୟା ୨୮କୁ ଖସି ଆସିଛି। ତିଗିରିଆରେ ଗତକାଲି ଗୋଟିଏଦିନରେ ୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ‌ବେଳେ ଆଜି ସଂକ୍ରମିତ ତାଲିକାରେ ତିଗିରିଆ ବ୍ଲକ୍‌ରୁ ଜଣେ ହେଲେ ବି ନ ରହିବା ଚକିତ କରିଛି। କିଟ୍‌ ବ୍ୟବହାର ଆଳରେ ଅର୍ଥ ଆତ୍ମସାତ, କୋଭିଡ୍ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା କିଛି ଠିକା କର୍ମଚାରୀଙ୍କ ଚାକିରି ସୁରକ୍ଷା ମସୁଧା ଏଭଳି କେଳେଙ୍କାରୀର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, କଟକ ଜିଲ୍ଲାରେ ଏବେ ମାସକୁ କୋଭିଡ୍‌ ଟେଷ୍ଟିଂ ନାଁରେ ୨୦ ଲକ୍ଷ ଟଙ୍କା‌ ଖର୍ଚ୍ଚ ହେଉଥିବା ଦର୍ଶାଯାଉଛି। କେବଳ କୋଭିଡ୍‌ ପାଇଁ ନିୟୋଜିତ ୭୦ ଜଣ କର୍ମଚାରୀଙ୍କ ମାସକୁ ଦରମା ବାବଦରେ ପାଖାପାଖି ସାଢ଼େ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାସକୁ ଟେଷ୍ଟିଂ ପାଇଁ ୩୦ ହଜାରରୁ ଅଧିକ କିଟ୍‌ ବ୍ୟବହାର ହେଉଥିବା ଦର୍ଶାଯାଉଛି। ସେହିପରି ଟେଷ୍ଟିଂ ପାଇଁ ଗାଡ଼ିଭଡ଼ା ବାବଦକୁ ମାସକୁ ୩ଲକ୍ଷରୁ ଅଧିକ ଟଙ୍କା ବିଲ୍‌ କରାଯାଉଥିବା ଜଣାପଡିଛି। ଏଭଳି କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ ହେଲେ ହୁଏତ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିବ ବୋଲି କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ