ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ବାଲି ଉତ୍ତୋଳନ ମାମଲାରେ ଏନ୍‌ଜିଟି ଛାଟ: ୩୬.୭୦ କୋଟି ଜରିମାନା ଆଦାୟ କରି ପାରିବ ତ ପ୍ରଶାସନ?

ବାରିପଦା: ବେଆଇନ ବାଲି ଉତ୍ତୋଳନ ଚାଲିଥିଲା। ଲିଜ୍‌ଧାରୀ ହେଲେ ମୋହରା। ଫାଇଦା ଉଠାଇଲେ ନେତା ଓ ଅଫିସର। ମାଫିଆ ବି ମାଲେମାଲ୍‌। କୋଟି କୋଟି ଟଙ୍କାର ରାଜସ୍ବ ହରାଇଲେ ସରକାର। ଏପରି ସମୟରେ ମାମଲା ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ରେ ପହଞ୍ଚିଲା। ଦୀର୍ଘ ୬ ମାସ ପରେ ଟ୍ରିବ୍ୟୁନାଲ୍‌ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ୩ ସଇରାତ; ଆରପଟା, ଡିଙ୍ଗିରା ଓ ମହୁପୁରାରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ପାଇଁ ୨ ଲିଜ୍‌ଧାରୀଙ୍କୁ ଜରିମାନା ବାବଦକୁ ୩୬.୭୦ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଦୁଇ ଲିଜ୍‌ଧାରୀ ଏହି ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ ନ କରନ୍ତି, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରିବ୍ୟୁନାଲ୍‌ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆରମ୍ଭରୁ ଜଗିଲେ ନାହିଁ। ଏବେ ଜରିମାନା କରି ଆଦାୟ ଚିନ୍ତା। ଲିଜ୍‌ଧାରୀ କିଛି ସବ୍‌ଲିଜ୍‌ଧାରୀଙ୍କୁ ଅନୁମତି କାଗଜପତ୍ର ଦେଲେ। ଯାହାଫଳରେ ସବ୍‌ଲିଜଧାରୀମାନେ ସଇରାତରୁ ପ୍ରତିଦିନ ଟ୍ରିପ୍‌ ଟ୍ରିପ୍ ବାଲି ଉତ୍ତୋଳନ କରିବାକୁ ଲାଗିଲେ। ବାହାରକୁ ପରିବହନ କରି ମୋଟା ଅଙ୍କର ଅର୍ଥ ରୋଜଗାର କଲେ। ଆଉ ଏଥିରେ ନେତା ଓ ବଡ଼ବଡ଼ ଅଫିସରଙ୍କ ମଧ୍ୟ ସଂପୃକ୍ତି ରହିଲା। ଅନୁଗ୍ରହ କରି ବେଆଇନ ଉତ୍ତୋଳନ ଓ ପରିବହନକୁ ପ୍ରଶ୍ରୟ ଦେଲେ। ଆଞ୍ଚଳିକ ପରିବହନ, ପୂର୍ତ୍ତ ଓ ପରିବେଶ ବିଭାଗ ଚାପ ଆଗରେ ଚୁପ୍ ରହିଲା। ଲିଜ୍‌ଧାରୀ ବି ସେମିତି ବେଶି କିଛି ଫାଇଦା ପାଇଲେ ନାହିଁ। ସେମାନଙ୍କୁ ମୋହରା ସଜାଇ ଯିଏ ପାରିଲା ସିଏ ଫାଇଦା ଉଠାଇଲା। ଏବେ ଦୁଇ ଲିଜ୍‌ଧାରୀଙ୍କ ମୁଣ୍ଡରେ ଟ୍ରିବ୍ୟୁନାଲ୍‌ ଖଣ୍ଡା ଝୁଲାଇଥିବା ବେଳେ ସେମାନଙ୍କଠୁ କିଭଳି ଏତେ ପରିମାଣର ଟଙ୍କା ଆଦାୟ ହେବ, ତାହା ସଂଦେହ ସୃଷ୍ଟି କରିଛି। ଆରପଟା ଓ ଡିଙ୍ଗିରା ସଇରାତ ଲିଜ୍‌ଧାରୀ ବେତନଟୀ ଅଞ୍ଚଳର ପ୍ରଦୀପ ବିନ୍ଧାଣୀଙ୍କଠାରୁ ୨୦ କୋଟି ୪୨ ଲକ୍ଷ ଏବଂ ମହୁପୁରା ସଇରାତ ଲିଜ୍‌ଧାରୀ ବାରିପଦା ମଧୁବନର କୃପାସିନ୍ଧୁ ସିଂଙ୍କଠାରୁ ୧୬ କୋଟି ୨୮ ଲକ୍ଷ ଟଙ୍କା ଜରିମାନା ବାବଦରେ ଆଦାୟ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯଦି ଦୁଇ ଲିଜ୍‌ଧାରୀ ଜରିମାନା ଅର୍ଥ ନିର୍ଦ୍ଧାରିତ ସମୟରେ ପୈଠ ନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି।

ପର୍ଯ୍ୟାବରଣ, ପରିବେଶ ନିୟମର ଉଲ୍ଲଂଘନ ଏବଂ ମାଇନିଂ କ୍ଲିୟରାନ୍ସର ଅବଧି ଶେଷ ହେବା ପରେ ବି ବଡ଼ସାହି ତହସିଲ ବୁଢ଼ାବଳଙ୍ଗ ନଦୀ ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ପରିବହନ ଚାଲିଥିଲା। ଏନେଇ ରାଧାମୋହନ ସିଂ ନାମକ ଜଣେ ବ୍ୟକ୍ତି ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନେଇଥିଲେ। ଟ୍ରିବ୍ୟୁନାଲ୍‌ ଆବେଦନକୁ ଗ୍ରହଣ କରିବା ସହ ଅନୁଧ୍ୟାନ ପରେ ରିପୋର୍ଟ ଦେବାକୁ ପରିବେଶ କମିଟିକୁ ନିର୍ଦ୍ଦେଶ ଦେଇଥିଲେ। କମିଟି ସ୍ଥିତି ଅନୁଧ୍ୟାନ କରିବା ସହ ବେଆଇନ ବାଲି ଉତ୍ତୋଳନ ଓ ପରିବହନରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଇଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲା। ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଦୁଇ ଲିଜ୍‌ଧାରୀଙ୍କ ନାଁରେ ବଡ଼ସାହି ଥାନାରେ ଏତଲା ଦେଇଥିଲା। ପ୍ରଦୀପ ବିନ୍ଧାଣୀ ଗିରିଫ ହୋଇଥିବା ବେଳେ କୃପାସିନ୍ଧୁ ସିଂଙ୍କ ପାଖରେ ପୁଲିସ ପହଞ୍ଚି ପାରି ନଥିଲା। ଆଉ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ସରକାର ନିଲମ୍ବନ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଲିଜ୍‌ ଅବଧି ଶେଷ ହେବା ପରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ କିଏ ଅନୁମତି ଦେଇଥିଲା? କେବଳ କ’ଣ ତହସିଲଦାର ଅନୁଗ୍ରହ ଦେଖାଇଥିଲେ? ନେତା ଓ ବଡ଼ବଡ଼ ଅଫିସରଙ୍କ ଏଥିରେ କ’ଣ ଭୂମିକା ନଥିଲା! ଅଭିଯୋଗକାରୀ ଶ୍ରୀ ସିଂହ ଏନେଇ ଅଭିଯୋଗ କଲା ପରେ ଏହାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କାହିଁକି ହାଲୁକା ଭାବେ ନେଇଥିଲେ? କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କ’ଣ ଦାୟୀ ନୁହନ୍ତି କି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହି ମାମଲାରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତ ନଜର ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।