ଆଠଗଡ଼ ୩୦।୦୮: ମହାନଦୀ ମୁଣ୍ଡଳୀ ବ୍ରିଜ୍ରେ ପୁଣି ଅଘଟଣ। ବ୍ରିଜ୍ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି। ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା ।

ତେବେ ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା ଜଣାପଡ଼ିଛି। ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ। ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏବେ ଯାଏଁ ନିଖୋଜଙ୍କ ପରିଚୟ ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳୀ ବ୍ରିଜ୍ରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ନଦୀକୁ ଡେଇଁବାର ୨ ଦିନ ପରେ ପାଣିରେ ଭାସିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ୨ଟି ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ମୁଣ୍ଡଳୀ ଠାରୁ ୫ କିମି ଦୂର ଲିଙ୍ଗାପଦା ଗାଁ ନଦୀ କୂଳରୁ ମୃତଦେହ ମିଳିଥିଲା। ମୃତ ଯୁବକ ହେଲେ ଭୂବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ୱଦେବ ଦାସ।। ସେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।