ମୋହନା, ୦୩/୦୮: ପରକିଆପ୍ରୀତି ଓ ଅନୈତିକ କାର୍ଯ୍ୟକଳାପକୁ କେନ୍ଦ୍ରକରି ଗାଁ ଦାଣ୍ଡ ଖୁଣ୍ଟରେ ବନ୍ଧାହୋଇ ମାଡ ଖାଇଲେ ତିନିଜଣ । ସୋଲାର ପାଣି ଟାଙ୍କି ଖୁଣ୍ଟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ପୁରଷଙ୍କୁ ବାନ୍ଧି ରଖିଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମାଣିକପୁର ଅଞ୍ଚଳରେ ।
ଉକ୍ତ ଅଞ୍ଚଳର ଏକ ଇନ୍ଦିରାଆବାସ ଘରେ ବାସ କରୁଥିବା ଜନୈକ ମହିଳାଙ୍କ ସ୍ବାମୀ ଦୀର୍ଘ ବର୍ଷ ଧରି ଅନ୍ୟତ୍ର ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଏହାର ସୁଯୋଗ ନେଇ ମହିଳା ଜଣକ ଗଞ୍ଜାମ ଜିଲ୍ଲା ନୂଆପଡା ଗ୍ରାମର ରବିନ୍ଦ୍ର ନାମକ ଯୁବକ ସହ ଅନୈତିକ ସଂପର୍କ ରଖିଥିବା ନେଇ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ତେବେ ଏଭଳି ଭାବେ ସାହିରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଗ୍ରାମବାସୀ ଆଜି ସମ୍ପୃକ୍ତ ମହିଳାଙ୍କ ସମେତ ତିନିଜଣକୁ ଧରି ଗାଁ ଦାଣ୍ଡରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଦୀର୍ଘ ଘଣ୍ଟା ଧରି ଜାତୀୟ ରାଜପଥ ପାର୍ଶ୍ବରେ ଏଭଳି ଘଟଣା ଘଟିଚାଲିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ ।