ନୂଆଦିଲ୍ଲୀ ୦୨/୦୮: ମଙ୍ଗଳବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଟି୨୦ ଖେଳାଯିବ । ରୋହିତ ସେନା ଦ୍ୱିତୀୟ ଟି୨୦ ହାରିବା ପରେ ଇଣ୍ଡିଜ ସିରିଜକୁ ୧-୧ ସ୍ତରକୁ ଆସିଛି । ଯେଉଁ ଦଳ ତୃତୀୟ ମ୍ୟାଚ୍ ଜିତିବ ସେହି ଦଳ ସିରିଜରେ ଆଗୁଆ ରହିବ । ତେବେ ଦ୍ୱିତୀୟ ଟି୨୦ରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା । କୌଣସି ବ୍ୟାଟର୍ ଖାସ୍ ପ୍ରଦର୍ଶନ କରିପାରିନଥିଲେ । ବୋଲର ମଧ୍ୟ ସାମାନ୍ୟ ନିରାଶ କରିଥିଲେ ।
ଓ୍ୱାର୍ଣ୍ଣର ପାର୍କ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍
ଉଭୟ ଦଳ ମଧ୍ୟରେ ଓ୍ୱାର୍ଣ୍ଣର ପାର୍କ କ୍ରିକେଟ୍ ଷ୍ଟାଡିୟମରେ ତୃତୀୟ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟାନୁସାରେ ଏହା ରାତି ୮ଟାରେ ଆରମ୍ଭ ହେବ । ୭ଟା୩୦ରେ ଟସ୍ ପଡିବ ।
ପ୍ରଥମେ ବୋଲିଂ କରିବା ଟିମ୍ ରହିବ ଆଗରେ
ଏହି ପିଚ୍ ବେଲାରଙ୍କୁ ସୁହାଇଥାଏ । ଏଠାରେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ଅନ୍ୟ ଦଳ ଉପରେ ଚାପ ପକାଇପାରିବ । ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ୧୮୦ରୁ ଅଧିକ ସ୍କୋର କଲେ ବିପକ୍ଷ ବ୍ୟାଟରଙ୍କୁ ବାନ୍ଧି ରଖିପାରିବ ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଟି୨୦ରେ ଇଣ୍ଡିଜକୁ ୬୮ ରନରେ ମାତ୍ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୯୦ ରନ୍ କରିଥିଲା । କିନ୍ତୁ ଇଣ୍ଡିଜ ୧୨୨ ରନ୍ କରିପାରିଥିଲା । ତେବେ ଦ୍ୱିତୀୟ ଟି୨୦କୁ ଇଣ୍ଡିଜ ୫ ଓ୍ୱିକେଟରେ ଜିତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୩୮ ରନ୍ କରିଥିଲା । ଇଣ୍ଡିଜ ୪ ବଲ୍ ବାକି ଥାଇ ଶେଷ ଓଭରରେ ୫ ଓ୍ୱିକେଟରେ ମ୍ୟାଚ୍ ଜିତିନେଇଥିଲା ।