ମାର୍ଶାଘାଇ ୨୧।୦୭ : ସିଗାରେଟ୍ ଟାଣିବା ପାଇଁ ମାଗିଥିଲେ ଦିଆସିଲ୍, ନଦେବାରୁ ଦୋକାନ ମାଲିକଙ୍କୁ ଛୁରାମାଡ଼ । ଏଥିରେ କୁଅଁରପାଳ ଗାଁର ଚିଣ୍ଟୁ ଦାସ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଡ଼ପାଳ ଗୋଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ମାର୍ଶାଘାଇ ଥାନା ବଡ଼ପାଳ ଗୋଡା ବାଇପାସ୍ରେ ଥିବା ମା ମମତା ସୁଇଟ୍ ଷ୍ଟଲରେ ତିନି ଦିନ ତଳେ ବଡ଼ପାଳ ଗାଁର ସୁର ବେହେରାଙ୍କ ପୁଅ ମାନସ ବେହେରା ଆସିଥିଲେ । ଆଉ ସିଗାରେଟ୍ ଟାଣିବା ପାଇଁ ଦୋକାନୀଙ୍କୁ ଦିଆସିଲା ମାଗିଥିଲେ । କିନ୍ତୁ ଦୋକାନ ବନ୍ଦ ହୋଇଯାଇଥିବାରୁ କର୍ମଚାରୀମାନେ ମନା କରିଥିଲେ । ପୂର୍ବ ରାଗ ରଖି ମାନସ ବୁଧବାର ବିଳମ୍ବିତରେ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ଦୋକାନ ମାଲିକ ଏହାକୁ ବିରୋଧ କରିବାକୁ ମାନସ ହଠାତ୍ ଅଣ୍ଟାରୁ ଛୁରୀ ବାହାର କରି ମାରିଥିଲା । ଏହି ଛୁରାମାଡ଼ ଖାଇ ଚିଣ୍ଟୁ ବେହୋସ୍ ହୋଇ ପଡିଯାଇଥିଲେ । ସେଠାରୁ ଲୋକେ ତୁରନ୍ତ ଚିଣ୍ଟୁଙ୍କୁ ଉଦ୍ଧାର କରି ମାର୍ଶାଘାର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।