ଅପରାଧ ରାଜନୀତି ରାଜ୍ୟ

ବିଧାୟକଙ୍କ ପ୍ରେମ କାହାଣୀରେ ଟ୍ୱିଷ୍ଟ: ପ୍ରେମିକା ଆଣିଲେ ଦୁଷ୍କର୍ମ ଅଭିଯୋଗ, ୧୫ ଲକ୍ଷ ଦେଇ ମାମଲା ରଫାଦଫା କରିବାକୁ ପ୍ରସ୍ତାବ !

ଜଗତସିଂହପୁର,୧୮/ ୦୭: ତିର୍ତ୍ତୋଲ ବିଧାୟକ ତଥା ନିଜ ପ୍ରେମିକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା ସୋମାଲିକା ଦାଶ । ଏଥରକ ସୋମାଲିକା ଡାକରେ ନିଜ ଏତଲା ଜଗତସିଂହପୁର ଥାନାକୁ ପଠାଇଛନ୍ତି । ଏତଲାରେ କିନ୍ତୁ ଗତ ମେ’ ମାସ ୧୩ ତାରିଖ ଉଲ୍ଲେଖ କରାଯାଇଛି ।

ଅର୍ଥାତ୍‌ ଉକ୍ତ ଦିନ ଜଗତସିଂହପୁର ଥାନା ପରିବର୍ତ୍ତେ ଏଭଳି ଗୁରୁତର ଅଭିଯୋଗ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କରିଥିଲେ । ପରେ ସେ ଏହି ଅଭିଯୋଗ ଉପରେ ଜଗତସିଂହପୁର ଥାନାକୁ ମାମଲାକୁ ଆଗକୁ ନବଢ଼ାଇବାକୁ ଲେଖି ଜଣାଇ ଦେଇଥିଲେ । ସମ୍ଭବତଃ ସେଥିପାଇଁ ସେଦିନର ଏହି ସଙ୍ଗିନ ଅଭିଯୋଗକୁ ଜିଲ୍ଲା ପୁଲିସ ମୁଖ୍ୟାଳୟ କିମ୍ବା ଜଗତସିଂହପୁର ଥାନା ପକ୍ଷରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇ ନଥିଲା ।

ଏହା ପରେ ଅବଶ୍ୟ ଉଭୟ ସୋମାଲିକା ଓ ବିଜୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ଆବେଦନ କରିଥିଲେ । ତେବେ ବିବାହ କରିବାର ଆଇନଗତ ଅବଧି ନସରୁଣୁ ପୁଣି ଝଡ଼ ସୃଷ୍ଟି ହୋଇଥିଲା । ବିଶେଷକରି ଆପତ୍ତି ଅଭିଯୋଗ ଦାଖଲ ନିମନ୍ତେ ମାସକର ମହଲତ ଶେଷ ହେବା ଦିନ ସୋମାଲିକା ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ବିଜୟ ଶଙ୍କରଙ୍କ ଦେଖା ମିଳି ନଥିଲା ।

ଫଳରେ ବିଧାୟକ ନିଜ କ୍ଷମତାର ଦୁରୁପଯୋଗ କରିବା ଏବଂ ବିବାହ ନିମନ୍ତେ ଖେଳୁଥିବା ଅନୁଭବ କରି ସୋମାଲିକାଙ୍କ ପକ୍ଷରୁ ସିଧାସଳଖ ଜଗତସିଂହପୁର ଥାନାରେ ଏତଲା ଦିଆଯାଇଥିଲା । ଉକ୍ତ ଏତଲାରେ ବିଧାୟକ ସେକ୍ସ ରାକେଟ୍‌ ଚଳାଉଥିବା ଭଳି ସଂଗିନ୍‌ ଅଭିଯୋଗ ଆଣିଥିଲେ ସୋମାଲିକା ।

ପୋଲିସ ତତ୍କାଳ ଏକ ମାମଲା ରୁଜୁ କରି ୧୬୧ ଧାରାରେ ସୋମାଲିକାଙ୍କ ବୟାନ ରେକର୍ଡ କରିବାକୁ ତତ୍ପରତା ଦେଖାଇଥିଲା । ହେଲେ କିଛି କାରଣ ଦର୍ଶାଇ ସୋମାଲିକା ନିଜ ବୟାନ ରଖିବାକୁ କିଛି ଦିନ ମହଲତ ନେଇଥିଲେ । ଏବେ ବୟାନ ଦେବା ପରିବର୍ତ୍ତେ ସୋମାଲିକାଙ୍କ ପକ୍ଷରୁ ପୁଣି ଗତ ମେ’ ମାସ ୧୩ ତାରିଖ ଏତଲା ଉପରେ ମାମଲା ରୁଜୁ କରିବାକୁ ଜଗତସିଂହପୁର ଥାନାର ଦୃଷ୍ଟି ଆକର୍ଷଣ କରାଯାଇଛି ।

ସୋମାଲିକାଙ୍କ କହିବା କଥା, ମେ’ ମାସ ୧୩ ତାରିଖ ଏତଲାଟି ଉଭୟ ଏସ୍‌ପି ଓ ଜଗତସିଂହପୁର ଥାନାକୁ ଇ-ମେଲ୍‌ରେ ପଠାଯାଇଥିଲା । ଅଥଚ ଥାନାରେ ଉକ୍ତ ଏତଲା ଉପରେ ମାମଲା ରୁଜୁ କରାଯାଇ ନଥିଲା । ପରବର୍ତ୍ତୀ ସମୟରେ ବିଧାୟକ ବିଜୟ ଶଙ୍କର ବିବାହ କରିବାକୁ ସବ୍‌ ରେଜିଷ୍ଟ୍ରାର୍‌ଙ୍କ ଦପ୍ତରରେ ଆବେଦନ କରିଥିଲେ । ତେବେ ୧୩ ତାରିଖ ଏତଲାକୁ ପ୍ରତ୍ୟାହାର କରିବା କିମ୍ବା ମାମଲାର ତଦନ୍ତକୁ ଆଗେଇ ନନେବା ନିମନ୍ତେ ମୋ’ ଆଡ଼ୁ କୌଣସି ଲିଖିତ ଦସ୍ତାବିଜ୍‌ ପୁଲିସକୁ ଦିଆଯାଇ ନଥିବା ସ୍ପଷ୍ଟ କରିଛନ୍ତି ସୋମାଲିକା ।

ଏତଦ୍‌ଭିନ୍ନ ୧୬୧ ଧାରାରେ ବୟାନ ସଂଗ୍ରହ ନିମନ୍ତେ ଦାୟିତ୍ୱରେ ରହିଛନ୍ତି ଆଇୟୁସିଏଡବ୍ଲୁର ଡିଏସ୍‌ପି ସରୋଜିନୀ ସିଂ । ଗତ ମାସ ୧୯ ତାରିଖରେ ଶ୍ରୀମତୀ ସିଂଙ୍କ ସମେତ ଏଏସ୍‌ଆଇ ଏନ୍‌. ଲେଙ୍କା ଓ ମହିଳା ହୋମଗାର୍ଡ ପିପି ବିଶ୍ୱାଳ ବୟାନ ରେକର୍ଡ ନିମନ୍ତେ ସ୍ଥାନୀୟ ଦେଉଳିଗ୍ରାମେଶ୍ୱର ସ୍ଥିତ ବାସଭବନକୁ ଆସିଥିଲେ, କିନ୍ତୁ ବୟାନ ରଖିବା ପାଇଁ ସମୟ ନିଆଯାଇଥିଲା ।

ଏବେ ପୁଣି ଏକ ଚିଠି (ଚଳିତ ମାସ ୧୩ ତାରିଖ ଉଲ୍ଲେଖ ରହିଛି) ହସ୍ତଗତ ହୋଇଛି, ବୟାନ ନିମନ୍ତେ ତାରିଖ ସମୟ ଧାର୍ଯ୍ୟ ପାଇଁ । ହେଲେ ଦାୟିତ୍ୱରେ ଥିବା ଡିଏସ୍‌ପି ଶ୍ରୀମତୀ ସିଂ ଥରଟିଏ ବି ଏ ବାବଦରେ ଯୋଗାଯୋଗ କରି ନଥିବା ବେଳେ ଜଗତସିଂହପୁର ଥାନା କର୍ତ୍ତୃପକ୍ଷ କାହିଁକି ଏତେ ବ୍ୟସ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋମାଲିକା ।

ମେ’ ମାସ ୧୩ ତାରିଖ ଉଲ୍ଲେଖ ଥିବା ଅଭିଯୋଗପତ୍ରରେ ତାଙ୍କ ଇଚ୍ଛା ବିରୋଧରେ ବହୁବାର ବିଧାୟକ ବିଜୟ ଶଙ୍କର ତାଙ୍କୁ ଦୁଷ୍କର୍ମ କରିଥିବା ଉଲ୍ଲେଖ କରିଛନ୍ତି ସୋମାଲିକା । ସେ ଦର୍ଶାଇଛନ୍ତି କି’ ଦୈହିକ ସଂପର୍କ ସ୍ଥାପନ ବେଳେ ବିଧାୟକ ବିବାହର ପ୍ରତିଶ୍ରୁତି ଦେଇଥାନ୍ତି । ନିଜ ପାୱାର୍‌ ଦେଖାଇ ମଧ୍ୟ ସଂପର୍କ ସ୍ଥାପନ କରିବାକୁ ଚାପ ପକାଇଥାନ୍ତି । ଏବେ କିନ୍ତୁ ସେ ଖେଳୁଛନ୍ତି ।
ପୁରୀରେ ଗୁପ୍ତ ବିବାହ ଲକ୍ଷ୍ୟରେ ବିଜୟ ଶଙ୍କର
କେବଳ ସେତିକି ନୁହେଁ, ସୋମାଲିକା ଅଭିଯୋଗ କରିଛନ୍ତି ଯେ ପୁରୀରେ ଅନ୍ୟ ଜଣେ ଝିଅଙ୍କ ସହ ଗୁପ୍ତ ବିବାହ କରିବାକୁ ବିଧାୟକ ଯୋଜନା କରୁଛନ୍ତି । ଅନ୍ୟତ୍ର ବିବାହ କରି କୋଟି କୋଟି ଟଙ୍କାର ଯୌତୁକ ଆଣିବା ସହ ଉକ୍ତ ଟଙ୍କାରେ ନିଜର ନିର୍ବାଚନ ଖର୍ଚ୍ଚ ଭରଣା କରିବାକୁ ଉପାୟ ପାଞ୍ଚିଛନ୍ତି । ମାମଲାକୁ ରଫାଦଫା କରିବାକୁ ୧୫ ଲକ୍ଷ ଟଙ୍କାର ହାତ ଗୁଞ୍ଜା ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ଏ ବାବଦରେ ପୃଥକ ଚିଠିରେ ସେ ଜିଲ୍ଲା ଏସ୍‌ପିଙ୍କୁ ଅବଗତ କରିଥିବା ଜଣାପଡ଼ିଛି । ତେବେ ଏନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୋର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଓ ନିରପେକ୍ଷ ତଦନ୍ତକୁ ମୁଁ ସ୍ୱାଗତ କରୁଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର