ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର ୦୬।୦୭ : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷୁଛି । ଆଗ ପଛ ହୋଇ ଆହୁରି ଦୁଇଟି ଲଘୁଚାପ ହେବ । ଆସନ୍ତା ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ହେବ । ଏଥିଯୋଗୁଁ ୧୫ ତାରିଖ ଯାଏ ଲଗାଣ ବର୍ଷା ଜାରି ରହିବ । ୧୦ ଓ ୧୪ରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ ଦେଖାଇଛନ୍ତି ।

ପ୍ରଫେସର ଡା. ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ୯ ତାରିଖରେ ଗୋଟିଏ ଲଘୁଚାପ ହେବ । ମୌସୁମୀ ସକ୍ରିୟ ଥିବା ଓ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ବର୍ଷା କରାଇପାରେ । ୮ରୁ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୧୦ରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ କମ୍‌ ରହିବ । ୧୩ରେ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଏହା ଦକ୍ଷିଣ ଆଡ଼କୁ ଢଳି ରହିବ । ଏଥିପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବ । ୧୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । ଏବେ ଘୂର୍ଣ୍ଣିବଳୟ ଓ ଲଘୁଚାପ ସକ୍ରିୟ ଥିବାରୁ ବର୍ଷା ଜାରି ରହିବ । ଆଗକୁ ଲଘୁଚାପ ଥିବାରୁ ୧୫ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବ ।

ଆସନ୍ତା ୧୦ ଦିନ ଭିତରେ ଦକ୍ଷିଣ ଓଡ଼ିଶାରେ ୧୮୦ ମିଲିମିଟର, ଉତ୍ତର ଓଡ଼ିଶାରେ ୮୦ମିମି ଓ ରାଜଧାନୀ ସମେତ ବାକି ଜିଲ୍ଲାରେ ୧୩୦ମିମି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ତେବେ ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଅଧିକ ବର୍ଷା ସମ୍ଭାବନା ଥିବାରୁ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ । ଧାନ ତଳି ୧୫ ଦିନ ହୋଇଥିଲେ ଏହାକୁ ଲଗାଇ ପାରିବେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ମକା ଲଗାଇ ପାରିବେ । ଅଣଧାନ ଫସଲ ଲଗାଇ ପାରିବେ । ଆଗରୁ ବୁଣାଧାନ ଲଗାଇଥିଲେ ଏହାର ବେଉଷଣ ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।

ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଆରବ ସାଗର ଓ ବଙ୍ଗୋପସାଗରରୁ ମୌସୁମୀ ବାୟୁ ପ୍ରବାହ ଯୋଗୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ୧୧ ତାରିଖ ଯାଏ ବର୍ଷା ଲାଗି ରହିବ । ସେହିଭଳି ଆସନ୍ତା ୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୧୧ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ । ଜୁଲାଇ ୧୩ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମହାନଦୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ଅବବାହିକାରେ ଅଧିକ ବର୍ଷା କରାଇବ ବୋଲି ସେ କହିଛନ୍ତି । ୧୨ରୁ ୧୫ ତାରିଖ ଭିତରେ ଧାନ ତଳି ଲଗାଇ ପାରିବେ ବୋଲି ଡ. ସାହୁ ପରାମର୍ଶ ଦେଇଛନ୍ତି ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ