ନୂଆଦିଲ୍ଲୀ ୨୫।୦୬: ଦୁନିଆ ଦେଖିଥିଲା ନୂଆ ବିଶ୍ୱବିଜେତା । ବିଶ୍ୱ କ୍ରିକେଟକୁ ମିଳିଥିଲା ନୂଆ ଚାମ୍ପିଅନ । ଭାରତରେ କ୍ରିକେଟ୍ ପ୍ରତି ଭଲ ପାଇବାର ପଡିଥିଲା ମୂଳଦୁଆ । କାରଣ ଜୁନ୍ ୨୫ ତାରିଖ ଅର୍ଥାତ ଆଜିର ଦିନ ୧୯୮୩ ମସିହାରେ ଭାରତୀୟ କ୍ରିକେଟ୍ ଇତିହାସ ରଚିଥିଲା । ଯାହା କେବେ ହେଲେ ଭୁଲି ହେବ ନାହିଁ । ୩୯ବର୍ଷ ତଳେ ଆଜିର ଦିନରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍ ବିଜୟୀ ହୋଇଥିଲା ।
କ୍ରିକେଟର ମକ୍କାରେ ଭାରତର ଇତିହାସ
କ୍ରିକେଟ୍ର ମକ୍କା କୁହାଯାଉଥିବା ଲଡର୍ସରେ ଇତିହାସ ରଚିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ସେତେବେଳର ବିଶ୍ୱ ବିଜୟୀ ଥିବା ଓ୍ୱେଷ୍ଟଇଣ୍ଡିଜ୍ ଟିମ୍କୁ ୪୩ରନ୍ରେ ପରାସ୍ତ କରି ନିଜର କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ହାତେଇଥିଲା କପିଲ୍ ଦେବଙ୍କ ଟିମ୍ । ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ପ୍ରଦର୍ଶନ ଏତେ ଖାସ୍ ନଥିଲେ ବି ବିଶ୍ୱକପ୍ ଫାଇନାଲରେ ଓ୍ୱେଷ୍ଟଇଣ୍ଡିଜ୍କୁ ହରାଇ ଭାରତ ସମସ୍ତଙ୍କୁ ଚକିତ କରିଦେଇଥିଲା । ସେତେବେଳ କ୍ରିକେଟ୍ ଜଗତର ଦୁଇଟି ସର୍ବଶ୍ରେଷ୍ଠ ଟିମ୍ ଥିଲା ଇଂଲଣ୍ଡ ଏବଂ ଓ୍ୱେଷ୍ଟଇଣ୍ଡିଜ୍ । ଏହି ଦୁଇ ଦିନଟି ହରାଇ ଭାରତ ବିଶ୍ୱକପ୍ ବିଜୟୀ ହୋଇଥିଲା ।
୧୯୮୩ ପୂର୍ବରୁ ଦୁଇଥର ଚାମ୍ପିଅନ ହୋଇଥିଲା ଇଣ୍ଡିଜ୍
୧୯୮୩ ବିଶ୍ୱକପ୍ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ୍ ଦୁଇ ଥର ବିଶ୍ୱକପ୍ ବିଜୟୀ ହୋଇଥିଲା । ୧୯୭୫ ଓ ୧୯୭୯ରେ ହୋଇଥିବା ଦୁଇଟି ଦିନିକିଆ ବିଶ୍ୱକପ୍ରେ ଓ୍ୱେଷ୍ଟଇଣ୍ଡିଜ୍ କପ୍ ହାତେଇଥିଲା । ତେବେ ୧୯୮୩ ବିଶ୍ୱକପ୍ରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ଟସ୍ ଜିତି ପ୍ରଥମେ ଭାରତୀୟ ଟିମ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ।
କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ (ସେତେବେଳେ ୬୦ଓଭରର ମ୍ୟାଚ୍ ଖେଳାଯାଏ)ରେ ମାତ୍ର ୧୮୩ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କୃଷ୍ଣାମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ରନ୍ କରିଥିଲେ, ଯାହାପରେ ଫାଇନାଲରେ ସର୍ବାଧିକ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ଥିଲା । ଭାରତର ୧୮୩ରନ୍ରେ ଅଲ୍ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଥିଲା ଓ୍ୱେଷ୍ଟଇଣ୍ଡିଜ୍ ଦଳ ।
ମଦନ ଲାଲ୍ଙ୍କ ୩୧ରନ୍ରେ ତିନି ଓ୍ୱିକେଟ୍, ମହିନ୍ଦର ଅମରନାଥଙ୍କ ୧୨ରନ୍ରେ ତିନି ଓ୍ୱିକେଟ୍ ଓ ସନ୍ଧୁଙ୍କ ୩୨ରନ୍ରେ ଦୁଇ ଓ୍ୱିକେଟ୍ ନେଇ ଲଏଡଙ୍କ ଏହି ଧୁରନ୍ଧର ଟିମ୍କୁ ହରାଇ ଭାରତ ବିଶ୍ୱବିଜୟୀ ହୋଇଥିଲା । ଯାହାକି ଭାରତ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ହାତେଇଥିଲା ଟିମ୍ ଇଣ୍ଡିଆ । ମହିନ୍ଦର ଅମରନାଥ ଫାଇନାଲ୍ରେ ନିଜର ଅଲ୍ରାଉଣ୍ଡର ପ୍ରଦର୍ଶନ (୨୬ରନ୍ ଏବଂ ୩ ଓ୍ୱିକେଟ୍ ) ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍ ’ ହୋଇଥିଲେ । ଏହି ବିଶ୍ୱକପ୍ ବିଜୟର ଦୀର୍ଘ ୨୮ବର୍ଷ ପରେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ କବଜା କରିଥିଲା ।