ଜଳେଶ୍ବର ୨୦।୬: ପୋଲିସକୁ ଚକ୍ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର । ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଥାନା ହାଜତରୁ ଫେରାର ହୋଇଯାଇଛି । ପୋଲିସ ମୁକ୍ତାରକୁ ଖୋଜିବାକୁ ଛାନଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଦ୍ବାରା ଗତ ଶନିବାର ଦିନ ଜଳେଶ୍ବର ପଶ୍ଚିମବାଡ ରାସ୍ତା ଚୈତନ ସାହୁ ଛକ ନିକଟରୁ ମୁକ୍ତାର ଖାନ୍ ନାମକ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିଲା । ତା ନିକଟରୁ ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ସହ ଏକ ସ୍କୁଟି ଜବତ କରିଥିଲା ପୋଲିସ । ପଚରାଉଚରା ପାଇଁ ମୁକ୍ତାରକୁ ଥାନାରେ ଅଟକ ରଖିଥିଲା ପୋଲିସ । ପୂର୍ବରୁ ତା ନାଁରେ ଜଳେଶ୍ବର ଥାନା, ବସ୍ତା ଥାନା, ରୁପ୍ସା ଥାନାରେ ଅନେକ ମାମଲା ରହିଛି । ପୋଲିସ ହାଜତରେ ଥିବାବେଳେ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକ୍ମା ଦେଇ ଖସି ପଳାଇଥିଲା ମୁକ୍ତାର । ମୁକ୍ତାରକୁ ଖୋଜିବା ପାଇଁ ପୋଲିସ ଚାରିଆଡେ ଛାନଭିନ୍ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଛାଉଣୀ ମଧ୍ୟରୁ ବ୍ରାଉନସୁଗାର ବେପାରୀ କେମିତି ଖସି ପଳାଇଲା ? ନା ତାକୁ କେହି ଜାଣିଶୁଣି ଖସାଇ ଦେଇଛି ତାହା ଏବେ ତଦନ୍ତ ସାପେକ୍ଷ ।