ବରେଲି ୧୩/୦୬: ଉତ୍ତରପ୍ରଦେଶର ବରେଲିରୁ ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଲିସକର୍ମୀ ବିଦ୍ୟୁତ୍ ବିଭାଗର ଜଣେ ଲାଇନମ୍ୟାନ୍ଙ୍କ ବାଇକ୍ ଲାଗି ଚାଲାଣ କାଟିବାରୁ ଉତ୍ତ୍ୟକ୍ତ ହୋଇ ସେ ହରଦାସପୁର ପୋଲିସ ଷ୍ଟେସନ୍ର ବିଦ୍ୟୁତ୍ ସଂଯୋଗ କାଟିଦେଇଥିବା ଜଣାପଡ଼ିଛି । ଘଟଣାଟି ଶନିବାର ଘଟିଥିଲା ।
ସିରୌଲି ଥାନା କ୍ଷେତ୍ରର ହରଦାସପୁର ପୁଲିସ ଷ୍ଟେସନ୍ର ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ମୋଦି ସିଂହ ଯାନବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ସେ ବରସେର ସବ୍ ଷ୍ଟେସନ୍ର ଲାଇନ୍ମ୍ୟାନ୍ ଭଗବାନ ସ୍ୱରୂପଙ୍କ ବାଇକ୍କୁ ଅଟକାଇଥିଲେ। ତାଙ୍କୁ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ କହିଥିଲେ । ସ୍ୱରୂପଙ୍କ ପାଖରେ ସେତେବେଳେ କାଗଜପତ୍ର ନଥିବାରୁ ସେ ଘରୁ ଯାଇ ତାକୁ ଆଣିବେ ବୋଲି କହିଥିଲେ ।
ଇନ୍ସପେକ୍ଟର ତାଙ୍କ କଥାକୁ ଅଣଦେଖା କରି ଏକ ଚାଲାଣ କାଟି ତାଙ୍କୁ ୫୦୦ ଟଙ୍କା ଜରିମାନା ବିଧାନ କରିଥିଲେ । ଇନ୍ସପେକ୍ଟରଙ୍କ ଏଭଳି ପଦକ୍ଷେପରେ ରାଗି ଯାଇ ସ୍ୱରୂପ ହରଦାସପୁର ପୁଲିସ ଷ୍ଟେସନ୍ର ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ । ବିଦ୍ୟୁତ୍ର କେବଲ ବି ନିଜ ସହ ଘରକୁ ନେଇଯାଇଥିଲେ । ଚେକ୍ ପୋଷ୍ଟକୁ ଅନ୍ଧାରରେ ଥିବା ଦେଖି ଭାରପ୍ରାପ୍ତ ଅଧିକାରୀ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ।
ତେବେ ରାତି ସାରା ସେମାନଙ୍କୁ ଅନ୍ଧାରରେ ରହିବାକୁ ପଡ଼ିଲା । ଏହି ଘଟଣା ପରେ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି ।ସେପଟେ ଭଗବାନ ସ୍ୱରୂପ କହିଛନ୍ତି, ପୁଲିସ ଷ୍ଟେସନ୍ରେ ମିଟର ନଥିଲା । ସେମାନେ ବେଆଇନ ଭାବେ ବିଦ୍ୟୁତ୍ ବ୍ୟବହାର କରୁଥିବାରୁ ମୁଁ ସଂଯୋଗ ବିଚ୍ଛିନ୍ନ କରିଦେଇଛି ।