ପୁରୀ, ୦୮/୦୬: ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଗତକାଲି ଭଦ୍ରକର ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ଼ କରିଥିଲେ। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଥିବାର ତାରିଖ ମଧ୍ୟ ସେ ପୋଷ୍ଟ କରିଥିଲେ।
ତେବେ ସଞ୍ଜୟଙ୍କ ସହ ଫଟୋରେ ଆଉ ଜଣେ ବ୍ୟକ୍ତି ଅଛନ୍ତି । କୋଇଲି ବୈକୁଣ୍ଠ, ନୃସିଂହ ମନ୍ଦିର ଓ ଆନନ୍ଦ ବଜାର ପାଖରେ ସେଲଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ସଞ୍ଜୟ । ଏନେଇ ଗତକାଲି ନ୍ୟୁଜ7ରେ ଲଗାତାର ଖବର ପ୍ରସାରଣ ପରେ ସିଂହଦ୍ଵାର ଥାନା ତଦନ୍ତ ଆରମ୍ଭ କରିଛି। ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଭିତରକୁ କିଭଳି ଭାବେ ମୋବାଇଲ ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେବା ଓ ସେଲଫି ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିବା ଅପରାଧ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।