ନିଶ୍ଚିନ୍ତକୋଇଲି ୬।୬: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଶୁକରପଡା ସେବା ସମବାୟ ସମିତିରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସେବା ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା ପରେ ଗତ ୪ ତାରିଖରେ ପ୍ରାର୍ଥୀମାନଙ୍କଠାରୁ ସେବା ସମବାୟ ସମିତି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଗ୍ରହଣ କରୁଥିଲେ । ୩ ନମ୍ବର ଜୋନ୍ ର ସଭ୍ୟ ପ୍ରାର୍ଥୀ ନରେନ୍ଦ୍ର ମଲ୍ଲିକ ଓ ତାଙ୍କ ସାଥିରେ ଆସିଥିବା ସଂଜୟ ଖଟୁଆ ସେବା ସମବାୟ ସମିତିକୁ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଆସିଥିଲେ । ତାଙ୍କୁ ସେଠାରୁ ନସିମୁଦ୍ଦିନ୍ ଖାଁ ଓରଫ୍ କଲାମ୍ ଙ୍କ ସହ ୪/୫ ଜଣ ସହଯୋଗୀ ଜୋର ଜବରଦସ୍ତି ବନ୍ଧୁକ ଦେଖାଇ ଏକ ବୋଲେରୋ ଗାଡ଼ିରେ ଅପହରଣ କରିନେଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଅପହରଣକାରୀମାନେ ଦୁଇ ଜଣଙ୍କୁ ମାହାଙ୍ଗା ଥାନାର ବିଭିନ୍ନ ସ୍ଥାନରେ ଗାଡ଼ି ଭିତରେ ଅଟକ ରଖି ଅପରାହ୍ନ ପାଖାପାଖି ୪ଟା ବେଳେ ଶୁକରପଡାଠାରେ ଛାଡିଥିଲେ। ତେଣୁ ପ୍ରାର୍ଥୀପତ୍ର ଦାଖଲର ସମୟସୀମା ଦିନ ୩ଟା ଯାଏଁ ଥିବାବେଳେ ନରେନ୍ଦ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିପାରିନଥିଲେ। ଅଭିଯୋଗକୁ ଭିତ୍ତିକରି ନିଶ୍ଚିନ୍ତକୋଇଲି ଥାନା ପୋଲିସ ଥାନା କେଶ୍ ନମ୍ବର ୮୭/୨୦୨୨ ରେ ମାମଲା ରୁଜୁ କରି ୩୪୨, ୨୯୪, ୩୨୩, ୫୦୬, ୩୭୯, ୩୪ ଏବଂ ଏସଟିଏସି ଦଫା ଲଗାଇ ତଦନ୍ତ ଜାରି ରଖିଛି।
ଅନ୍ୟପଟେ ନସିରୁଦ୍ଦିନ୍ ଖାଁ ଓରଫ କଲାମଙ୍କୁ ପଚାରିବାରୁ ଏ ଘଟଣା ଅମୂଳକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଯେହେତୁ ପ୍ରାର୍ଥୀ ନରେନ୍ଦ୍ର ଅପରାହ୍ନ ୨ଟା ୩୦ ମିନିଟ୍ ରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ ଏବଂ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ମାତ୍ର ୧୫ ମିନିଟ୍ ଥିଲା ତେଣୁ ଆନୁସଙ୍ଗୀକ ବ୍ୟବସ୍ଥା ନକରି ପାରି ମିଛରେ ଏଭଳି ଦୋଷାରୋପ କରୁଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସକୁ ସମସ୍ତ ସହଯୋଗ କରିବେ ବୋଲି ସେ କହିଛନ୍ତି । ସେପଟେ ସାଲେପୁର ଏସଡିପିଓ କହିଛନ୍ତି, ତଦନ୍ତ ପରେ ସତ୍ୟାସତ ଜଣାପଡିବ ।