ଅପରାଧ ରାଜ୍ୟ

ସାଇବର୍‌ ଠକଙ୍କ ଜାଲରେ ରାଜଧାନୀବାସୀ: ଦୁଇ ମାସରେ ନେଇଗଲେ କୋଟିଏ ୭୨ ଲକ୍ଷ

ଭୁବନେଶ୍ବର: ଦୁଇ ମାସରେ ରାଜଧାନୀବାସୀଙ୍କୁ କୋଟିଏ ୭୨ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ସାଇବର୍‌ ଠକ। ଏପ୍ରିଲ୍‌ରେ ସାଇବର ଠକ ରାଜଧାନୀରୁ ସାଢ଼େ ୭୬ଲକ୍ଷ ଟଙ୍କା ଓ ମେ’ରେ ୯୫ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ଗତ ଏପ୍ରିଲ୍‌ରେ ସାରା ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ‌ ମେ’ରେ ୩୩୬ଟି ଅଭିଯୋଗ ଆସିଛି। ସାଇବର ଠକେଇ ରୋକିବା ପାଇଁ କମିସନରେଟ୍‌ ପୁଲିସଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚ ପର୍ଯ୍ୟନ୍ତ ସବୁସ୍ତରରେ ଉଦ୍ୟମ କରାଯାଉଛି। ତଥାପି ଲୋକଙ୍କୁ ଠକିବାରେ ସାଇବର୍‌ ଠକ ସଫଳ ହୋଇଯାଉଛନ୍ତି। ଗତ ଦୁଇ ମାସର ତଥ୍ୟରୁ ଏହା ଜଳଜଳ ଜଣାପଡ଼ୁଛି। ମେ’ରେ ସାରା ରାଜ୍ୟରୁ ମୋଟ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ବରରୁ ୩୦୦ଟି ଅଭିଯୋଗ ରହିଛି। ଏଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଜନିତ ଠକେଇ ରହିଛି। ସେହିପରି ୧୧୦ଟି ଅନଲାଇନ୍‌ ଠକେଇ ଅଭିଯୋଗ ହୋଇଛି। ଅପରପକ୍ଷେ ସାଇବର୍‌ ପୁଲିସ୍‌ ଉଦ୍ୟମରେ ଅଭିଯୋଗକାରୀମାନଙ୍କୁ ଗତ ମାସରେ ପାଖାପାଖି ୭ଲକ୍ଷ ୬୯ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଠକେଇ ହୋଇଥିବା ୬୭ହଜାର ଟଙ୍କା ବ୍ଲକ୍‌ କରାଯାଇପାରିଛି। ଅନ୍‌ଲାଇନ ଠକାମିର ଶିକାର ୧୬ ଅଭିଯୋଗକାରୀ ସଂପୂର୍ଣ୍ଣ କିମ୍ବା ଆଂଶିକ ଅର୍ଥ ଫେରି ପାଇଛନ୍ତି।

ସେହିପରି ଏପ୍ରିଲ୍‌ରେ ୩୧୩ଟି ଅଭିଯୋଗ ଆସିଥିବା ବେଳେ ଭୁବନେଶ୍ବରରୁ କେବଳ ୨୬୧ଟି ଅଭିଯୋଗ ଆସିଛି। ଏଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଠକେଇ ରିପୋର୍ଟ ହୋଇଛି। ସେହିପରି ୭୩ଟି ଅନଲାଇନ୍‌ ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କୁ ପାଖାପାଖି ୯ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍‌ କରାଯାଇପାରିଛି। ଅନ୍‌ଲାଇନ ଠକାମିର ଶିକାର ୩୨ ଅଭିଯୋଗକାରୀଙ୍କୁ ସଂପୂର୍ଣ୍ଣ କିମ୍ବା ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇ ପାରିଛି। ଉଦ୍‌ବେଗର ବିଷୟ‌, ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଠକଙ୍କୁ ଧରିବା ଦୂରର କଥା, ମାମଲା ମଧ୍ୟ ରୁଜୁ କରାଯାଉ ନାହିଁ। ଗତ ମାସକରେ ୬୪୯ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୪ଟି ମାମଲା ପଞ୍ଜୀକୃତ ହୋଇଛି। ତେଣୁ ଲୋକମାନେ କିଭଳି ନ୍ୟାୟ ପାଇବେ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଜଣେ ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ ପାଇଁ ଅତିକମ୍‌ରେ ଜଣେ ଆଇଆଇସି ରୢାଙ୍କର ଅଧିକାରୀଙ୍କ ଆବଶ୍ୟକତା ରହିଛି। ଆଉ ଜଣେ ଆଇଆଇସି ଅତି ବେଶିରେ ୩ରୁ -୪ଟି ମାମଲା ରୁଜୁ କରିପାରି‌ବେ। ଅଫିସର୍‌ଙ୍କ ଅଭାବ ଯୋଗୁଁ ଅଧିକ ମାମଲା ପଞ୍ଜୀକୃତ ‌ହୋଇପାରୁନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।