ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳଷଷ୍ଠୀ ଯାତ୍ରା: ଲୋକନାଥ ଓ ଜାଗେଶ୍ୱର ବାବାଙ୍କ ନିର୍ବନ୍ଧ ସମ୍ପନ

ସମ୍ବଲପୁର, ୦୩/୦୬: ଘଣ୍ଟ, ଘଣ୍ଟା, ଶଙ୍ଖ, ଦୁଲଦୁଲି ସହିତ ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଦୁଲୁକୁଛି ସମ୍ବଲପୁର ସହର । ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବରପିତା । ଆଉ ପାତ୍ରୀ ମିଳିବା ପରେ ସଂପନ୍ନ ହୋଇଛି ପତରପେଣ୍ଡି ବା ନିର୍ବନ୍ଧ ନୀତି । ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଗୁରୁବାର ସମସ୍ତ କମିଟିର ପତରପେଣ୍ଡି ନୀତି ସଂପନ୍ନ ହୋଇଛି ।

ଦିନକ ପୂର୍ବରୁ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ନୀତି ସଂପନ୍ନ ହୋଇଥିବା ବେଳେ ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ଝାଡୁଆପଡାର ଲୋକନାଥ ବାବାଙ୍କ ପତରପେଣ୍ଡି ଶୋଭାଯାତ୍ରା ଗୁରୁବାର ସନ୍ଧ୍ୟାରେ ମହାସମାରୋହରେ ବାହାରିଥିଲା । ବାବା ଲୋକନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବରପିତା ଅମରନାଥ ସୁପକାର ସପ୍ତଋଷୀ ଏବଂ କର୍ମକର୍ତ୍ତା ମାଧବ ଚନ୍ଦ୍ର ପଣ୍ଡା, ପୁରନ୍ଦର ପାଣିଗ୍ରାହୀ, ପୀତବାସ ବିଶି, ହରି ବଡପଣ୍ଡା, ଜଗଦୀଶ ବଡପଣ୍ଡା, ପ୍ରକାଶ ପୂଜାରୀ, ସଞ୍ଜୀବ ପାଢୀ ଏବଂ କୈଳାସ ପଣ୍ଡାଙ୍କ ସହ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ କନ୍ୟା ଅନ୍ୱେଷଣରେ ।

ସୁସଜ୍ଜିତ ରଥ ସହିତ ନିର୍ବନ୍ଧର ଭେଳିକି ଭେଳି ପିଠାପଣା ଓ ପୂଜା ସାମଗ୍ରୀ ନେଇ କ୍ଷେତରାଜପୁର ପୋଦ୍ଦାର କଲୋନୀ ନିବାସୀ କନ୍ୟାପିତା ମାତା ସୁନୀଲ ଅଗ୍ରୱାଲ ଓ କବିତା ଦେବୀ ଅଗ୍ରୱାଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଉଭୟ ପକ୍ଷର ଆଲୋଚନା ପରେ ବିବାହ ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଏହାପରେ ବରପିତା ପତରପେଣ୍ଡି ଥାଳକୁ କନ୍ୟା ପିତାମାତାଙ୍କୁ ହସ୍ତାନ୍ତର କରି ବିବାହ ପାଇଁ ସ୍ଥିର କରିଥିଲେ। ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ ।

ସେହିପରି ମୁଦିପଡା ଜାଗେଶ୍ୱର ବାବାଙ୍କ ପତରପେଣ୍ଡି ଶୋଭାଯାତ୍ରା ସନ୍ଧ୍ୟାରେ ମନ୍ଦିର ପରିସରରୁ ବାହାରିଥିଲା । ଘଣ୍ଟ, ଘଣ୍ଟା, ଦୁଲଦୁଲି ଆଦି ବିଭିନ୍ନ ସାଂସ୍କୃତିକ ଦଳ ସହିତ ଏସ୍‌ଆର୍‌ଆଇଟି କଲୋନିସ୍ଥିତ ବିନୋଦ ବିହାରୀ ପଟେଲ ଏବଂ ବିନତା ନାୟକଙ୍କ ଘରେ ପହଞ୍ଚିଥିଲା । ବରପିତା ମଧୁସୂଦନ ନେଗୀ ସପ୍ତଋଷୀ ଅରବିନ୍ଦ ମହାପାତ୍ର, ଶଶୀଭୂଷଣ ତ୍ରିପାଠୀ, ଶାନ୍ତନୁ ପାଣିଗ୍ରାହୀ, ବିଶ୍ୱରଞ୍ଜନ ପୂଜାରୀ, ସଞ୍ଜୀବ ଦାସ, ବିଜୟ ଷଡଙ୍ଗୀ, ରାଜକିଶୋର ମିଶ୍ରଙ୍କ ସହ ଭବ୍ୟ ଶୋଭାଯାତ୍ରାରେ ଯାଇଥିଲେ ।

ସାଙ୍ଗରେ ପତରପେଣ୍ଡି ପାଇଁ ଶାଳପତ୍ର ବିଡା ସହ ପୂଜା ସାମଗ୍ରୀ ନେଇଥିଲେ । ସେଠାରେ ପହଞ୍ଚିବା ପରେ ବିବାହ ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୃସିଂହଚରଣ ଦାସ, ଜଗଦୀଶ ପଣ୍ଡା, ଅଭିରାମ ପଟେଲ, ସୁନୀଳ ଦାସ, ଗତିକୃଷ୍ଣ ଷଡଙ୍ଗୀ, ଜିତୁ କର୍ଣ, ଆଶୁତୋଷ ମିଶ୍ର, ଲକ୍ଷ୍ମୀନାରାୟଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ