ମାଲକାନଗିରି ୨।୬: ମାଲକାନଗିରି ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଘରେ ଉପରେ ପେଟ୍ରୋଲ ବୋମା ମାଡ । ବୋମା ପକାଇ ପୁରା ପରିବାରକୁ ମାରିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ ।
ଗତ କିଛି ଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ବୁଧବାର ରାତି ପ୍ରାୟ ୨ଟା ୩୦ମିନିଟ୍ ସମୟରେ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ବାସଭବନ ପଛ ପଟୁ କିଛି ଦୁର୍ବୃତ୍ତ ଆସି ପେଟ୍ରୋଲ ପକାଇ ଘରକୁ ଜାଳିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅଧିକାରୀଙ୍କ ଝିଅଙ୍କର ହଠାତ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରି କଡରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ଏନଏସିର କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।