ନୂଆଦିଲ୍ଲୀ ୨୭/୦୫ : ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ୱର୍କଶପ୍ ମାଲିକ ମୋଇନୁଦ୍ଦିନ କୁରେଶିଙ୍କୁ ଗୁଳି ଚଳାଇ ହତ୍ୟା ଘଟଣାରେ ହୋଇଛି ଆଶ୍ଚର୍ଯ୍ୟକର ଖୁଲାସା। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ। ବରଂ ନିଜ ପତ୍ନୀଙ୍କର ହିଁ ହାତ ରହିଛି। ଆଶ୍ଚର୍ଯ୍ୟକର କଥା ହେଉଛି ଦୁହିଁଙ୍କ ବିବାହ ହୋଇଥିଲା ୨୫ ବର୍ଷ ପୂର୍ବେ। ଆଉ ଫେସବୁକ ପ୍ରେମ ପାଇଁ ଭୁଲିଗଲେ ସବୁ ସଂପର୍କର ମୂଲ। ପତ୍ନୀ ତାଙ୍କ ପ୍ରେମିକ ସହିତ ମିଶି କରିଥିଲେ ସ୍ୱାମୀ କୁରେଶୀଙ୍କ ହତ୍ୟା। ଉଭୟ ୬ଲକ୍ଷ ଟଙ୍କାର ସୁପାରୀ ଦେଇ ଗାଜିଆବାଦରୁ ଭଡ଼ାରେ ସୁପାରି କିଲରଙ୍କୁ ଡକାଇଥିଲେ। ମୃତକଙ୍କ ପତ୍ନୀଙ୍କ ମୋବାଇଲ କଲ୍ ଡିଟେଲ୍ସ ରେକର୍ଡ (CDR) ରୁ ଏକ ବଡ ଟିପ୍ସ ପାଇ ବୁଧବାର ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ମୋଇନୁଦ୍ଦିନ କୁରେଶୀଙ୍କ ୪୦ବର୍ଷିୟା ପତ୍ନୀ ଜିବା କୁରେଶିଙ୍କୁ ଗିରଫ କରିଛି ପୋଲିସ୍। ଏହାସହ ତାଙ୍କର୨୯ ବର୍ଷିୟା ପ୍ରେମିକ ଶୋଏବ ଓ ସୁପାରୀ କିଲର ଭିନେଟ ଗୋସ୍ୱାମୀ ବି ଗିରଫ । ସେମାନଙ୍କ ନିକଟରୁ ଏକ ପିସ୍ତଲ, ଅନ୍ୟାନ୍ୟ ହତିଆର, ତିନି ଲକ୍ଷ ଟଙ୍କା ସହ ଚୋରି ବାଇକ୍ କରାଯାଇଛି ଜବତ।
ଡିସିପି ଶ୍ୱେତା ଚୌହାନ କହିଛନ୍ତି ଯେ, ଗତ ମେ ୧୭ତାରିଖ ରାତି ପ୍ରାୟ ୧୦ଟା ବେଳର ଏହି ଅଘଟଣ। କାଲିଦାସ ରୋଡରେ ଥିବା ଖାଲସା ସ୍କୁଲ ସମ୍ମୁଖରେ ୱର୍କସପ୍ ମାଲିକ ମୋଇନୁଦ୍ଦିନଙ୍କୁ ଗୁଳି କରି କରାଯାଇଥିଲା ହତ୍ୟା । ମୋଇନୁଦ୍ଦିନଙ୍କ ସାନଭାଇ ରୁକନୁଦ୍ଦିନଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ମୃତକଙ୍କ ପତ୍ନୀଙ୍କ ବୟାନ ନେବା ସମୟରେ ତାଙ୍କର ଅନେକ ବିରୋଧାଭାସ ଦେଖିବାକୁ ମିଳିଥିଲା। ସେ ବାରମ୍ବାର ନିଜ ବୟାନ୍ ବଦଳାଉଥିଲେ । ଏହା ଉପରେ ପୋଲିସ ସନ୍ଦେହଜନକ ଭାବେ ତାଙ୍କ ମୋବାଇଲର ସି.ଡି.ଆର ବାହାର କରିଥିଲେ। ଏହି ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ସେ ମେରଠର ଏକ ନମ୍ବରରେ ନିରନ୍ତର କଥା ହେଉଥିଲେ। ଯେତେବେଳେ ପୋଲିସ ତାଙ୍କୁ ଏ ବିଷୟରେ ପୁଣି ପଚରାଉଚୁରା କଲା, ସେତେବେଳେ ସେ ମନା କରିଦେଇଥିଲେ। କିନ୍ତୁ ସତ କଣ କେବେ ଲୁଚି ରହେ। ପରେ ଏହି ଘଟଣା ଉପରୁ ପରଦା ଉଠାଇଥିଲା ପୋଲିସ୍ । ଏହାପରେ ବୁଧବାର ଦିନ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।
ପତ୍ନୀ ଜିବା କହିଥିଲେ ଯେ, ସେ ପ୍ରାୟ ୨୫ ବର୍ଷ ପୂର୍ବେ ମୋଇନୁଦ୍ଦିନଙ୍କୁ ୧୫ବର୍ଷ ବୟସରେ ବିବାହ କରିଥିଲେ। ଜିବାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ। ଅନ୍ୟ ପଟେ, ମୋଇନୁଦ୍ଦିନ ୱାର୍କସପ୍ ବ୍ୟତୀତ ଏକ ପ୍ଲଟିଂ ବ୍ୟବସାୟ କରିଥିଲେ । ସେ ଅଧିକାଂଶ ସମୟ ମଦ୍ୟପାନ କରିବାରେ ଅତିବାହିତ କରନ୍ତି। କେବଳ ଏତିକି ନୁହେଁ, ସେ ମଦ୍ୟପାନ କରି ତାଙ୍କୁ ପିଟୁଥିଲେ। ଏହି ସମୟରେ, ଜିବାଙ୍କର ଫେସବୁକରେ ମେରଟର ବାସିନ୍ଦା ଶୋଏବଙ୍କ ସହ ବନ୍ଧୁତା ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଏତେ ବଢ଼ିଗଲା ଯେ ଜିବା ଶୋଏବଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ ଶୋଏବଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଅଭିଯୁକ୍ତଙ୍କଠାରୁ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଟିମ୍ ପ୍ରାୟ ୫୦୦ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରିଛନ୍ତି। ଏହା ବ୍ୟତୀତ ପ୍ରାୟ ୧୦୦ ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ଅଭିଯୁକ୍ତକୁ ଧରିପାରିଥିଲା ପୋଲିସ୍ ।