ସାଲେପୁର ୨୪/୦୫: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ । ପ୍ରଥମ ୧୪ ଦିନ ଦ୍ୱିପ୍ରହର ଧୂପ ପରାନ୍ତେ ଚଳନ୍ତି ପ୍ରତିମାକୁ ସିଂହାସନରୁ ଅଣାଯାଇ ଚନ୍ଦନ କୁଣ୍ଡରେ ସୁବାସିତ ଜଳ ମଗ୍ନ କରାଯାଏ ।
ସନ୍ଧ୍ୟାରେ ବାହାରକରି ବେଶ କରାଯାଏ । ବୁଢା ନୃସିଂହ ଏବଂ ଚଳନ୍ତି ପ୍ରତିମାଙ୍କର ଅଲଗା ଅଲଗା ଆରତୀ ଓ ଭୋଗ କରାଯାଇ ସନ୍ଧ୍ୟା ଧୂପ ବେଳକୁ ସିଂହାସନ କୁ ନିଆଯାଏ ।
ଶେଷ ୭ ଦିନ ଚଳନ୍ତି ପ୍ରତିମା ଓ ଅନ୍ୟ ଦେବତା ମାନଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରାଇ ମନ୍ଦିର ସମ୍ମୁଖସ୍ଥ ଚନ୍ଦନ ପୁଷ୍କରିଣୀରେ ନାବକେଳି କରାଯାଇ ସିଂହଦ୍ୱାରଠାରେ ଚନ୍ଦନ ସ୍ନାନ ପରେ ପତିତ ଜନଙ୍କୁ ଦର୍ଶନ ଦିଅନ୍ତି । ଏହି ଜଳକ୍ରୀଡ଼ା ଅତ୍ୟନ୍ତ ମନୋରମ ଓ ଅତ୍ୟଧିକ ଭକ୍ତ ଏହି ଦର୍ଶନ ନିମନ୍ତେ ବର୍ଷତମାମ ଅପେକ୍ଷା ରତ ଥାଆନ୍ତି ।
