ନୂଆଦିଲ୍ଲୀ, ୨୨/୦୫: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍ ମାଗନସ୍ କାର୍ଲସେନ୍ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଚେସେବଲ୍ ମାଷ୍ଟର୍ସ ଅନ୍ଲାଇନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ରାଉଣ୍ଡରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ।
୧୬ ବର୍ଷୀୟ ପ୍ରଜ୍ଞାନନ୍ଦା ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଏୟାରଥିଙ୍ଗ୍ସ ମାଷ୍ଟର୍ସରେ ପ୍ରଥମ ଥର କାର୍ଲସେନ୍ଙ୍କୁ ହରାଇ ଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ ସେ ପୂର୍ବ ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇଛନ୍ତି । ଚେନ୍ନାଇର ଏହି ପ୍ରତିଭାବାନ ଖେଳାଳି ଗତ ମାସ ରେକ୍ଜାଭିକ୍ ଓପନ ଚାମ୍ପିଅନ୍ ହୋଇଥିବାବେଳେ ଲା’ ରୋଡା ଓପନରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।