କନ୍ଧମାଳ – କନ୍ଧମାଳ ଜିଲ୍ଲାର କିଛି ଦିନର ନୀରବତା ପରେ , ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି ।

ମୁକୁନ୍ଦ କହଁର ହତ୍ୟାକାରୀ ପୋଲିସ୍ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ, ଆଗାମୀ ଦିନରେ ପୋଲିସ୍ ଓ ସିଆରପିଏଫ୍ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନର ରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଅଛୁ । ଏହି ଘଟଣା ପାଇଁ ପୋଲିସ ଦାୟୀ ଅଟେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ପୋଲିସ ସବୁ ଜାଣିସୁଧା ସେହି ସ୍ଥାନକୁ ନଯିବାରୁ ମାଓ ପୋଷ୍ଟର ଲାଗିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଛି ।
