ଭୁବନେଶ୍ବର : ବେଆଇନ ଭାବେ ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ ହେଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏପରିକି ରାତିରେ, ବର୍ଷା ଦିନେ ଓ କୁହୁଡ଼ି ପଡ଼ିଥିଲେ ଏହି ଦୁର୍ଘଟଣା ଅଧିକ ହେଉଛି। ବିଭିନ୍ନ ସହର ଭିତରକୁ ଟ୍ରକ୍ ଓ ଭାରୀ ଯାନ ପଶିବା ମନା େହାଇଥିଲେ ବି ବେଆଇନ ଭାବେ ପଶୁଛି। ଏହାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଟ୍ରକ୍ ଟର୍ମିନାଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଜିଲ୍ଲାପାଳମାନେ ପରିବହନ କମିସନରଙ୍କୁ ଖାତିର କରୁନଥିବାରୁ ଏହି ପ୍ରକଳ୍ପ ଆଗେଇ ପାରୁନି।
ପ୍ରତି ଜିଲ୍ଲାରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୨୧, ୨୦୨୧ରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଜିଲ୍ଲାପାଳମାନେ ଜାତୀୟ ରାଜପଥ, ରାଜ୍ୟ ରାଜପଥ କଡ଼ରେ ଏବଂ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ନିକଟରେ ଟ୍ରକ୍ ଟ୍ରମିନାଲ ପାଇଁ ୧୦ରୁ ୨୦ଏକରର ଜମି ଚିହ୍ନଟ କରିବାକୁ କୁହାଯାଇଥିଲା। ଏହି ଜମି ଚିହ୍ନଟ କରି ଦେଇଥିଲେ ପରିବହନ ବିଭାଗ ପକ୍ଷରୁ ସେଠାରେ ଟ୍ରକ୍ ଟର୍ମିନାଲ ପ୍ରସ୍ତୁତ ହୋଇଥାନ୍ତା। ହେଲେ ଜିଲ୍ଲାପାଳମାନେ ପରିବହନ କମିସନରଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ। ତେଣୁ ଏବେ ଟ୍ରକ୍ ଟର୍ମିନାଲ ପାଇଁ ତୁରନ୍ତ ଜାଗା ଚିହ୍ନଟ କରି ଜଣାଇବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଟ୍ରକ୍ ଚାଳକଙ୍କ ସର୍ବନିମ୍ନ ସୁବିଧା ଯୋଗାଯାଇପାରୁନଥିବାରୁ ବାହାର ରାଜ୍ୟରୁ ଆସୁଥିବା ବା ବିଭିନ୍ନ ଜିଲ୍ଲା ଭିତରେ ଯାତାୟତ କରୁଥିବା ଟ୍ରକ୍ଗୁଡ଼ିକ ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି। ତେଣୁ ସବୁ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ଗୋଟିଏ କିମ୍ବା ଦୁଇଟି ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ଗୋଟିଏ ଟର୍ମିନାଲରେ ୫୦୦ରୁ ୧୫୦୦ ଟ୍ରକ୍ ପାର୍କିଂ ହେବା ଭଳି ବ୍ୟବସ୍ଥା ରହିବ। ଏଥିରେ ଗୋଟିଏ ଟର୍ମିନାଲ ପିଛା ୩୦ରୁ ୫୦କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ଏହି ଟର୍ମିନାଲରେ ୱେ ବ୍ରିଜ୍, ତେଲ ଟାଙ୍କି, ଲୋଡିଂ ଓ ଅନଲୋଡିଂ ସୁବିଧା, ଗୋଦାମ, ଶୀତଳ ଭଣ୍ଡାର, ଗ୍ୟାରେଜ୍, ଫାଣ୍ଡି, ସ୍ବାସ୍ଥ୍ୟ କେନ୍ଦ୍ର, ଶୌଚାଳୟ, ଲଜ୍, ବିଶ୍ରାମ ଅଞ୍ଚଳ, ପିଇବା ପାଣି, ହୋଟେଲ, ମାର୍କେଟ୍ କମ୍ପ୍ଲେକ୍ସ ଆଦି ରଖିବାକୁ ଯୋଜନା ହୋଇଛି।