ବାଲିପାଟଣା ୦୯।୦୫ : ୪୦ ଲକ୍ଷ ଟଙ୍କାର ମୂର୍ତ୍ତି ନେଇଗଲେ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟଙ୍କପାଣି ସ୍ଥିତ ଏକ ମନ୍ଦିରରୁ ଏପରି ବଡ଼ଧରଣର ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସୋମବାର ଭୋର ସମୟରେ ପୂଜକ ମନ୍ଦିର ପୂଜାର୍ଚ୍ଚନା ପାଇଁ ଆସିଥିଲେ । ହଠାତ୍ ସେ ଦେଖିଲା ବେଳକୁ ମନ୍ଦିରର ତାଲା ଭଙ୍ଗାଯାଇଥିବା ବେଳେ ଠାକୁରଙ୍କ ପ୍ରତିମା ଚୋରୀ ହୋଇଛି । ମନ୍ଦିରରେ ପୂଜା ପାଉଥିବା ଚନ୍ଦ୍ରଶେଖର, ମାଆ ପାର୍ବତୀ, ଦୁର୍ଗା, ନାରାୟଣ, ଲକ୍ଷ୍ମୀ, ଆଣ୍ଠୁଆ ଗୋପାଳ, ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ଚୋରି ହୋଇଥିବା ସମସ୍ତ ମୂର୍ତ୍ତି ବହୁ ପୁରାତନ । ସମସ୍ତ ମୂର୍ତ୍ତିର ଓଜନ ପ୍ରାୟ ଏକ କ୍ୱିଣ୍ଟାଲ ହେବ ।
ତେବେ ଚୋରି ହୋଇଥିବା ମୂର୍ତ୍ତିଗୁଡିକର ଦାମ୍ ୪୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ଚାରିଚକିଆ ଯାନ ଜରିଆରେ ଏହି ଲୁଟ୍ କରିଛନ୍ତି । ବାଲିଅନ୍ତା ଥାନା ଅଞ୍ଚଳରୁ ଲଗାତର ଏବେ ଏପରି ଲୁଟ୍ର ଖବର ଆସୁଛି । ଯାହାପଛରେ ଏକ ବଡ଼ ରାକେଟ୍ ଥିବା ପୋଲିସ ଅନୁମାନ କରୁଛି । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରୁଛି । ସେହିପରି କିଛିଦିନ ପୂର୍ବେ ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର , ଭିଙ୍ଗାରପୁର , ବାଳକାଟି ପ୍ରତାପରୁଦ୍ରପୁର , ହିରାପୁର ମନ୍ଦିରରୁ ଅନୁରୂପ ଭାବେ ମୂର୍ତି ଚୋରି ହୋଇଥିଲା ।