ଅପରାଧ ରାଜ୍ୟ

ବିଦେଶକୁ ଲମ୍ବିଛି ଜାଲ୍ ସିମ୍ ରାକେଟର ଚେର : ୩ ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ୍

ଚନ୍ଦ୍ରଶେଖରପୁର, ୦୬/୦୫: ଜାଲ୍‌ ସିମ୍‌ ରାକେଟ୍‌ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସୁରାକ । ଅଭିଯୁକ୍ତମାନଙ୍କର ବିଦେଶୀ ସାଇବର ଦଲାଲଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଖୋଳତାଡ଼ ଜୋରଦାର ହୋଇଛି । ଏହି ଘଟଣାରେ ଗୁରୁବାର ଢେଙ୍କାନାଳ ଜିଲ୍ଲାରୁ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଏକ ମୋବାଇଲ କମ୍ପାନିର ସିମ୍‌ ଡିଷ୍ଟ୍ରିବ୍ୟୁଟର ସ୍ଥାନୀୟ ମୋଟଙ୍ଗା ଥାନା ଉପରପାଲ ଗାଁର ଅମିତାଭ ସାହୁ(୩୮) ଓ ସିମ୍‌ ରିଟେଲର୍‌ କାମାକ୍ଷାନଗର ଆଲୁଅଝରଣ ଗାଁର ଦୋଳଗୋବିନ୍ଦ ପରିଡ଼ା(୨୮) ।

ଅଭିଯୁକ୍ତ ଦ୍ୱୟଙ୍କୁ କ୍ରାଇମବ୍ରାଞ୍ଚ ସାଇବର ଟିମ୍‌ ଜେରା କରିବା ସମୟରେ ସେମାନଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି । ଅଭିଯୁକ୍ତ ଦ୍ୱୟ ମାଷ୍ଟରମାଇଣ୍ଡ୍‌ ତଥା ଢେଙ୍କାନାଳର ଦୁଷ୍ମନ୍ତକୁ ସିମ୍‌ ଜାଲିଆତି କରି ମନଇଛା ଯୋଗାଉଥିଲେ ବୋଲି ତଦନ୍ତକାରୀ ଟିମ୍‌ ଆଗରେ ସେମାନେ ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ଏପରି ସ୍ୱୀକାରୋକ୍ତି ମାଷ୍ଟରମାଇଣ୍ଡ ଦୁଷ୍ମନ୍ତକୁ ଅକଳରେ ପକାଇଛି । ମୋବାଇଲ୍‌ ଡିଷ୍ଟ୍ରିବ୍ୟୁଟର ଏବଂ ରିଟେଲରଙ୍କୁ ଅଧିକ ଟଙ୍କା ଦେଇ ସେମାନେ ଜାଲ୍‌ ସିମ୍‌ ନେଉଥିଲେ । ଫେସ୍‌ବୁକ୍‌ ମାଧ୍ୟମରେ ବାୟର ସେଲର ଅଫ୍‌ ଓଟିପି ଗ୍ରୁପ୍‌ରେ ସକ୍ରିୟ ରହି ବିଭିନ୍ନ ସିମ୍‌ର ଓଟିପି ସଂଗ୍ରହ କରୁଥିଲେ । ପରେ ସାଇବର ଦଲାଲମାନଙ୍କୁ ଓଟିପି ବିକ୍ରି କରୁଥିଲେ । ଦୁଷ୍ମନ୍ତର ଏଭଳି ଆହୁରି କିଛି କଳାକାରନାମା ଧରାପଡ଼ିଯାଇଛି ।

ଅନ୍ୟପକ୍ଷରେ ସାଇବର ଦଲାଲ ଏବଂ ଠକଙ୍କୁ ସହଯୋଗ କରି ମୁନାଫା କମାଇଥିବା ଦୁଷ୍ମନ୍ତର ୨ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ ୨ଟି ପେଟିଏମ୍‌ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଅଚଳ କରିଦେଇଛି । ୨ଟି ବ୍ୟାଙ୍କ୍‌ ଆକାଉଣ୍ଟ ମଧ୍ୟରେ ଗୋଟିକରେ ପାଖାପାଖି ୮ଲକ୍ଷ ଟଙ୍କା ରହିଥିବା ବେଳେ ଅନ୍ୟଟିରେ ୧ ଲକ୍ଷ ୬୦ରୁ ଅଧିକ ଟଙ୍କା ରହିଥିବା ସୂଚନା ମିଳିଛି । ବିଭିନ୍ନ କମ୍ପାନିର ସିମ୍‌କୁ ରିଟେଲରଙ୍କଠାରୁ ଅଧିକ ଟଙ୍କା ଦେଇ ଦୁଷ୍ମନ୍ତ କିଣୁଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ତେବେ ଏହି ସିମ୍‌ ଜାଲିଆତି ଘଟଣାରେ ଡିଷ୍ଟ୍ରିବ୍ୟୁଟର ଓ ରିଟେଲରଙ୍କ ସହ କେତେକ ସର୍ଭିସ୍‌ ପ୍ରୋଭାଇଡର ସଂସ୍ଥାର ଅଧିକାରୀମାନେ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ଏହାର ଅଧିକ ଛାନ୍‌ଭିନ୍‌ ଏବଂ ଖୋଳତାଡ଼ ଲାଗି କ୍ରାଇମବ୍ରାଞ୍ଚ ସାଇବର ଥାନାର ତଦନ୍ତକାରୀ ଅଧିକାରୀ ୩ଟି ସର୍ଭିସ୍‌ ପ୍ରୋଭାଇଡର ସଂସ୍ଥାର ଅଧିକାରୀମାନଙ୍କୁ ନୋଟିସ୍‌ ଜାରି କରିଛି ।ଶୁକ୍ରବାର ଏବଂ ଶନିବାର ଏଇ ଦୁଇ ଦିନ ମଧ୍ୟରେ ପୂର୍ବାହ୍ନ ୧୦ଟା ସୁଦ୍ଧା କ୍ରାଇମବ୍ରାଞ୍ଚରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଡିଜି ସଞ୍ଜିବ ପଣ୍ଡା କହିଛନ୍ତି ।

ଜାଲ୍‌ ସିମ୍‌ ର‌୍ୟାକେଟ୍‌ର ଅଧିକ ଅନୁସନ୍ଧାନ ଲାଗି ୫ ଦିନିଆ ରିମାଣ୍ଡ୍‌ରେ ଆସିଥିବା ଢେଙ୍କାନାଳ ସଦର ଥାନା ନଦିଆଳି ଗ୍ରାମର ଦୁଷ୍ମନ୍ତ ସାହୁ(୨୩), ଢେଙ୍କାନାଳ ଟାଉନ୍‌ ଅଞ୍ଚଳର ପ୍ରକାଶ ଦାସ(୩୮) ଓ ସ୍ଥାନୀୟ ମିନାବଜାର ଜଗନ୍ନାଥ ରୋଡ ଅଞ୍ଚଳର ଅଭିନାଶ ନାୟକ(୩୨)କୁ ସାଇବର ଟିମ୍‌ ମାରାଥନ୍‌ ଜେରା ଚଳାଇଛି । ୨ ଦିନ ସୁଦ୍ଧା ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ ଅଭିଯୁକ୍ତମାନଙ୍କଠାରୁ ସିମ୍‌ ଜାଲିଆତି ବାବଦରେ ଅନେକ ତଥ୍ୟ ହାସଲ କରିପାରିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ତଥାପି ଆଉ ୩ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କଠାରୁ ଅନେକ ତଥ୍ୟ ପ୍ରମାଣ ମିଳିପାରିବ ବୋଲି ତଦନ୍ତକାରୀ ଟିମ୍‌ ଆଶାବାଦୀ ରହିଛନ୍ତି ।

ଅଭିଯୁକ୍ତ ଦୁଷ୍ମନ୍ତର ବିଦେଶୀ ସାଇବର୍‌ ଦଲାଲଙ୍କ ସହ ସଂପର୍କ ରହିଥିବା ଜଣାପଡ଼ିଛି । ସିମ୍‌ ଜାଲିଆତି କରି ସାଇବର ଦଲାଲମାନଙ୍କୁ ଓଟିପି ବିକ୍ରି କରୁଥିବା ଦୁଷ୍ମନ୍ତର ଚେର ବହୁ ଗଭୀରରେ ରହିଛି । ଦୁଷ୍ମନ୍ତ ବିଏସ୍‌ସି ବଟାନି ଅନର୍ସରେ ପାସ୍‌ କରିବା ପରେ ଭୁବନେଶ୍ୱରରେ ଡିଜିଟାଲ୍‌ ଆଣ୍ଡ୍‌ ମାର୍କେଟିଂ କୋର୍ସ କରିଥିଲା । ପରେ ସେ ଏୟାରସେଲ୍‌ ଓ ବିଏସ୍‌ଏନ୍‌ଏଲ୍‌ ସଂସ୍ଥାରେ ମାର୍କେଟିଂ ଏଜେଣ୍ଟ୍‌ ଥିଲା । ମୋବାଇଲ୍‌ ସିମ୍‌ ମାର୍କେଟିଂ ଦାୟିତ୍ୱ ତୁଲାଉଥିବାରୁ ସେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ସିମ୍‌ ଜାଲିଆତି କରି ଓଟିପି ବିକ୍ରି ଖର୍ଦ୍ଦି ର‌୍ୟାକେଟ୍‌ରେ ଥିଲା । ସେ ସାଇବର ତଥ୍ୟ ଏବଂ ସୂଚନା ଜାଣିବାରେ ପ୍ରବୀଣ ଥିଲା । ଫେସ୍‌ବୁକ୍‌ ମାଧ୍ୟମରେ ସେ ବାୟର ସେଲର ଅଫ ଓଟିପି ଗ୍ରୁପ୍‌କୁ ଯାଇ ପ୍ରଥମେ ସାଇବର ଠକଙ୍କ ଯୋଗାଯୋଗରେ ରହିଥିଲା । ପରେ ସେ ବିଭିନ୍ନ ପ୍ରି-ଆକ୍ଟିଭ୍‌ ସିମ୍‌ରୁ ଓଟିପି ନମ୍ବର ସଂଗ୍ରହ କରି ଠକମାନଙ୍କୁ ଦେଉଥିଲା ।

ସାଇବର ଠକମାନେ ଦୁଷ୍ମନ୍ତଠାରୁ ବିଭିନ୍ନ ଓଟିପି ନମ୍ବର ନେଇ ଜାଲ୍‌ ହ୍ୱାଟସ୍‌ଆପ୍‌ ଆଇଡି ଖୋଲି ଫ୍ଲିପ୍‌ କାର୍ଡ, ଫୋନ୍‌ ପେ, ଓଲାକାବ୍‌, ଆମାଜନ୍‌, ସ୍ୱିଗି ଆଦି ସାଇଟ୍‌୍‌ରେ ଅନଲାଇନ୍‌ ସପିଂ ନାଁରେ ଲୋକମାନଙ୍କଠାରୁ ଆଖିବୁଜା ଠକେଇ କରୁଥିଲେ । ସାଇବର ଠକମାନଙ୍କୁ ଏମିତି ରୀତିମତ ସହଯୋଗ କରି ଓଟିପି ବିକ୍ରି କରି ଦୁଷ୍ମନ୍ତ ଗୋଟିଏ ଓଟିପି ନମ୍ବର ପିଛା ୪ଶହ ଟଙ୍କା କମାଉଥିଲା । ସେ ଦିନକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର କରିଥାଏ ବୋଲି କହିଛି । ଢେଙ୍କାନାଳ ସଦର ଅଞ୍ଚଳରେ ନିଜ ଘରେ ଗୋଟିଏ ଲ୍ୟାପଟପ୍‌ ଧରି ବସି ଦୀର୍ଘ ଦିନ ହେଲା ସେ ଏହି କାରବାର କରି ମୋଟା ଅଙ୍କର ଟଙ୍କା କମାଇଥିବା ମାନିଛି । ପରେ ସେ ଅନ୍ୟ କୌଣସି ସଂସ୍ଥାରେ ଚାକିରି ନ କରି ଫେସ୍‌ବୁକ୍‌ରେ ବାୟର ସେଲର ଅଫ୍‌ ଓଟିପି ଗ୍ରୁପ୍‌ ସାଇଟ୍‌କୁ ଯାଇ ସାଇବର ଠକଙ୍କୁ ଓଟିପି ବିକ୍ରି କରି ମୁନାଫା କମାଇ ଆସୁଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।