ଭୁବନେଶ୍ବର : ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କେବେ ଆରମ୍ଭ ହେବ ତାହା ସ୍ଥିର ହୋଇପାରୁନି। ମେୟର ସୁଲୋଚନା ଦାସ ଦେଇଥିବା କଣ୍ଟ ପୂରିଲା। ଅକ୍ଷୟ ତୃତୀୟା ଗଲା। କିନ୍ତୁ ଆରମ୍ଭ ହୋଇପାରିଲା ନାହିଁ ବାୟୋମାଇନିଂ କାମ। ଇଟା ଖଣ୍ଡେ ପଡ଼ିବା ଦୂରର କଥା, ଆବର୍ଜନା ପଡ଼ିବା ବନ୍ଦ ହେଲା ନାହିଁ। ଯେଉଁଥିପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ପ୍ରକଳ୍ପ କାମ ଆରମ୍ଭ ହେବାର ଦିନ ଗଡ଼ି ଚାଲିଛି। ଏ ମାସରେ ହେବ, ସେ ମାସରେ ହେବ କହି କହି ବିଏମ୍ସି କର୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି।
ମେ ୩ରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହେବ ବୋଲି ବିଏମ୍ସି ମେୟର ଘୋଷଣା କରିଥିଲେ। ହେଲେ କେଉଁ କାରଣ ଲାଗି ପ୍ରକଳ୍ପ ଆରମ୍ଭ ହେଲା ନାହିଁ, ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। ବରଂ ପରସ୍ପରକୁ ଦୋଷ ଦେବାରେ ଲାଗି ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଜିଦ୍ ଲାଗି କାମ ଆରମ୍ଭ ହୋଇପାରି ନ ଥିବା ବିଏମ୍ସି କର୍ତୃପକ୍ଷ କହୁଥିଲେ ହେଁ ବାସ୍ତବରେ ବିଏମ୍ସିର ଅପାରଗତା ଲାଗି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନ ଥିବା ଜଣାପଡ଼ିଛି। ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହେବା ଲାଗି ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନା ସେଠାରେ ପକାଯିବା ଦ୍ବାରା ନିର୍ମାଣ କାମ ଆରମ୍ଭ ହୋଇପାରୁ ନ ଥିବା ଜଣାପଡ଼ିଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଭୁଆସୁଣିରେ ଆବର୍ଜନା ପଡ଼ିବା ବନ୍ଦ ହେଲେ ହିଁ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଠିକା ସଂସ୍ଥା ସର୍ତ୍ତ ରଖିଥିଲା। ସେହି ଅନୁଯାୟୀ ଏପ୍ରିଲ ୨୩ରୁ ବିଏମ୍ସି ଆଉ ସେଠାରେ ନୂଆ ଆବର୍ଜନା ଗଦା ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ସେଠାରେ ନୂଆ ଆବର୍ଜନା ପଡ଼ିବା ବନ୍ଦ ହେବାର ୧୦ ଦିନ ପରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନା ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍, ଏମ୍ସିସି ପରେ ଆଉ କେଉଁଠି ପଡ଼ିବ ତାହା ଚିହ୍ନଟ ହୋଇପାରୁନି। କିଛିଦିନ ତଳେ ମେୟରଙ୍କ ସମେତ ପରିମଳ ବିଭାଗର ଅଧିକାରୀମାନେ ସହର ଉପକଣ୍ଠ ବିଭିନ୍ନ ସ୍ଥାନ ବୁଲି ବିକଳ୍ପ ଜାଗା ଖୋଜିଥିଲେ। ପାଇକରାପୁର ନିକଟରେ ଏକ ସ୍ଥାନ ଚିହ୍ନଟ ହୋଇଥିଲେ ହେଁ ତାହାକୁ ବିଏମ୍ସି ଦଖଲ କରିପାରିଲାନି। ଏହାପରେ ଆଉ କିଛି ସ୍ଥାନ ଚିହ୍ନଟ ହୋଇଥିଲେ ବି ସ୍ଥାନୀୟ ଲୋକ ବିରୋଧ କରିବାରୁ ବିଏମ୍ସି ଓହରିଗଲା। ଏହାବାଦ୍ ସବୁ ଏମ୍ସିସି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ବିଏମ୍ସି ପାଇଁ ଏବେ ଅଳିଆ ବୋଝ ହୋଇଯାଇଛି। ସ୍ଥିତି ଏପରି ହେଲା ଯେ ବିଏମ୍ସି ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ କରିପାରିଲାନି।
ସୂଚନାଯୋଗ୍ୟ ଯେ ଏବେ ରାଜଧାନୀରୁ ଦୈନିକ ୫୫୦ ଟନ୍ରୁ ଅଧିକ ଆବର୍ଜନା ବାହାରୁଛି। ବିଏମ୍ସି ନିର୍ମାଣ କରିଥିବା ୩୦ଟି ଏମ୍ସିସିରେ ସର୍ବାଧିକ ୧୫୦ ଟନ୍ ପରିଚାଳନା ସମ୍ଭବ ହେଉଛି। ବାକି ୪୦୦ ଟନ୍ ଆବର୍ଜନା ପ୍ରଥମେ ସୈନିକ ସ୍କୁଲ ପଛ ପାଖରେ ଥିବା ଟିଟିଏସ୍ ଓ ପରେ ଭୁଆସୁଣିକୁ ଯାଉଛି। ଭୁଆସୁଣିକୁ ନୂଆ ଆବର୍ଜନା ନେବା ବନ୍ଦ କରିଦେଲେ ଟିଟିଏସ୍ରେ ଦୈନିକ ୪୦୦ ଟନ୍ ଆବର୍ଜନା ଜମା ହେବ। ଅତି ବେଶିରେ ୭ରୁ ୧୦ ଦିନ ମଧ୍ୟରେ ଏହା ପୂର୍ଣ୍ଣ ହୋଇଯିବ। ଫଳରେ ସହରରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିବ। ଯାହା ରାଜଧାନୀରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରିବ।
୧୦ ଦିନରେ ନ ହେଲେ, ୬ ମାସ ଗଡ଼ିଯିବ
ଭୁଆସୁଣିର ପ୍ରାୟ ୬୦ ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଛି। ବାୟୋମାଇନିଂ ପ୍ରକ୍ରିୟାରେ ଦିନକୁ ୨ହଜାର ଟନ୍ ଆବର୍ଜନା ପୃଥକୀକରଣ ଓ ପ୍ରକ୍ରିୟାକରଣ ହେବ। ପ୍ରଥମେ ୱିଣ୍ଡ୍ରୋସ୍ ପ୍ରକ୍ରିୟାରେ ଜେସିବି ସାହାଯ୍ୟରେ ଆବର୍ଜନାକୁ ତାଡ଼ି ଖୋଲା ପବନ ଓ ଖରା ଦିଆଯିବ। ଏହା ପରେ ଟ୍ରନେଲ୍ ମେସିନ୍ରେ ସହାୟତାରେ ଆକାର ଅନୁସାରେ ଅର୍ଥାତ୍ ୧୦୦, ୩୫, ୧୬ ଓ ୬ ମିଲିମିଟର ଆକାରର ଆବର୍ଜନାକୁ ଅଲଗା ଅଲଗା କରିଦିଆଯିବ। ଏହାପରେ ଫାଇନ୍ ଆର୍ଥ ଓ ଆରଡିଏଫ୍ ଏଭଳି ଦୁଇ ଭାଗରେ ଆବର୍ଜନାକୁ ବାଣ୍ଟି ଦିଆଯିବ। ଆରଡିଏଫ୍ରେ ପ୍ଲାଷ୍ଟିକ୍, କନା, ଅଖା, କାଠ, ଇଟା-ପଥର-କଂକ୍ରିଟ୍ ପ୍ରଭୃତି ଜିନିଷ ରହିବ। ଏହାକୁ ପରିଚାଳନା କରାଯାଇ ସିମେଣ୍ଟ ଫ୍ୟାକ୍ଟ୍ରି ଓ ଥର୍ମାଲ ପ୍ଲାଣ୍ଟକୁ ଯିବ। ଖାଲୁଆ ଜାଗା ଭର୍ତ୍ତି କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ। ବାକି ୬ ମିଲିମିଟର ଆକରର ଯେଉଁ ଆବର୍ଜନା ବାହାରିବ ତାହା ଫାଇନ୍ ଆର୍ଥ। ଏଥିରେ ରସାୟନିକ ପଦାର୍ଥ ମିଶାଯାଇ କମ୍ପୋଷ୍ଟ କରାଯିବ, ଯାହା ଏହି ପ୍ରକଳ୍ପର ଶେଷ ଉତ୍ପାଦ ହେବ। ବର୍ଷା ହେବା ଦ୍ବାରା ଏହି ପ୍ରକ୍ରିୟାକରଣ ବିଳମ୍ବ ହେବ। ଯଦି ଆସନ୍ତା ୧୦ ଦିନ ମଧ୍ୟରେ ପ୍ରକଳ୍ପ କାମ ନ ହୁଏ ତେବେ ଆସନ୍ତା ୬ ମାସ ଅର୍ଥାତ୍ ନଭେମ୍ବର ମାସ ପର୍ଯ୍ୟନ୍ତ ଆଉ ହୋଇପାରିବ ନାହିଁ। କାରଣ ଆଗକୁ ବର୍ଷା ଋତୁ ଆସୁଛି। ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ଏବଂ ଆଉ କାମ କରିବା ସମ୍ଭବପର ହେବ ନାହିଁ।