ନୂଆଦିଲ୍ଲୀ ୦୩/୦୫: ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସର ମଙ୍ଗ ଧରିଛନ୍ତି । ସେ ଅଧିନାୟକ ହେଲା ପରେ ପ୍ରଥମ ମ୍ୟାଚରେ ଚେନ୍ନାଇ ଦମଦାର ବିଜୟ ହାସଲ କରିଥିଲା । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ମାତ୍ ଦେଇଥିଲା । ଏହା ସିଏସକେର ତୃତୀୟ ବିଜୟ ଥିଲା ।
ବିଜୟ ସତ୍ତ୍ୱେ ଚେନ୍ନାଇର ପ୍ଲେ ଅଫ୍ ଯାତ୍ରା ସେତେ ସହଜ ନୁହେଁ । କିନ୍ତୁ ଭାରତର ପୂର୍ବତନ ଓପନର ତଥା ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହ୍ୱାଗ ଧୋନୀ ଚେନ୍ନାଇକୁ ପ୍ଲେ ଅଫରେ ପହଁଚାଇପାରିବେ ବୋଲି କହିଛନ୍ତି ।
ସେହ୍ୱାଗ କହିଛନ୍ତି ଯେ, ସେ ୨୦୦୫ରୁ ଧୋନୀଙ୍କୁ ଜାଣିଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଧୋନୀଙ୍କ ନେତୃତ୍ୱରେ ଦଳ ଅନେକ ଆଇସିସି ଓ ଘରୋଇ ଟ୍ରଫି ଜିତିଛି । ଯେଉଁଥିରେ ଦଳ ହାରୁଥିଲା ସେଥିରେ ବିଜୟ ମିଳିଥିଲା । ତେଣୁ ଏହି ସବୁକୁ ନଜରରେ ରଖି ଚେନ୍ନାଇକୁ ମାହି ପ୍ଲେ ଅଫରେ ପହଁଚାଇପାରନ୍ତି ।
ସୂଚନାଯୋଗ୍ୟ, ଦଳ ଆଗାମୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ଦଳ ଏବେ ୩ଟି ବିଜୟ ସହ ୬ ପଏଁଣ୍ଟ ପାଇଛି । ପ୍ଲେ ଅଫରେ ପହଁଚିବାକୁ ହେଲେ ସିଏସକେକୁ ପରବର୍ତ୍ତୀ ସବୁ ମ୍ୟାଚ୍ ଭଲ ରନ ରେଟରେ ଜିତିବାକୁ ହେବ ।