ଖେଳ ଦେଶ ବିଦେଶ

ସିଏସ୍‌କେ ଶେଷରେ ଖାତା ଖୋଲିଲା: ଆର୍‌ସିବି ୨୩ ରନ୍‌ରେ ହାରିଲା

ମୁମ୍ବାଇ: ଲଗାତାର ଚାରିଟି ପରାଜୟ ବରଣ ପରେ ଶେଷରେ ପଞ୍ଚମ ମୁକାବିଲାରେ ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ଭାଗ୍ୟ ଉଦୟ ହୋଇଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୨୩ ରନ୍‌ରେ ହରାଇ ଚଳିତ ଆଇପିଏଲ୍ ଋତୁରେ ଖାତା ଖୋଲିଛି ଏହି ଦଳ। ପୂର୍ବ ବିଫଳତାକୁ ଭୁଲି ମଙ୍ଗଳବାରର ଏହି ମୁକାବିଲାରେ ଚେନ୍ନାଇ ଧୂଆଁଧାର ବ୍ୟାଟିଂର ପରିଚୟ ‌ଦେଇଥିଲା। ଆଉ ଆର୍‌ସିବି ସମ୍ମୁଖରେ ୨୧୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବଡ଼ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଆର୍‌ସିବି ୫୦ ରନ୍ ଭିତରେ ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍, ପୂର୍ବତନ ଅଧିନାୟକ ବିରାଟ କୋହଲି, ଅନୁଜ ରାୱତ ଏବଂ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ୱିକେଟ୍ ହରାଇ ପ୍ରଥମ କିଛି ଓଭରରେ ହିଁ ମ୍ୟାଚ୍ ହାତଛଡ଼ା କରିଥିଲା। ଶେଷ ଆଡ଼କୁ ୱିକେଟ୍ ରକ୍ଷକ ଦୀ‌ନେଶ କାର୍ତ୍ତିକ କେତେକ ଦର୍ଶନୀୟ ସଟ୍ ଖେଳିଥିଲେ। ହେଲେ ଆର୍‌ସିବି ୯ ୱିକେଟ୍ ବିନିମୟରେ ୧୯୩ ରନ୍ କରି ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା।

ଟସ୍ ହାରିବା ପରେ ଦୁଇଟି ପ୍ରାରମ୍ଭିକ ୱିକେଟ୍ ଝଡ଼ିବାର ଝଟ୍‌କାରୁ ସଫଳତାର ସହ ବାହାରି ଚେନ୍ନାଇ ଚଳିତ ଋତୁର ସର୍ବାଧିକ ଦଳଗତ ସ୍କୋର କରିନେଇଥିଲା। ଏହାର କାରଣ ଥିଲା ଓପନର ରବିନ ଉଥାପ୍ପା (୮୮) ଏବଂ ମଧ୍ୟକ୍ରମ ବ୍ୟାଟର୍‌ ଶିବମ ଦୁବେ (୯୫)ଙ୍କ ଧମାକାଦାର ବ୍ୟାଟିଂ। ଆଜି ଋତୁରାଜ ଗାଏକ୍ବାଡ୍ (୧୭) ଓ ମୋଇନ ଅଲ୍ଲୀ (୩) ମାତ୍ର ୩୬ ରନ୍‌ ଭିତରେ ଆଉଟ୍ ହୋଇ ଯାଇଥିଲେ। ଏହା ସତ୍ତ୍ବେ ଉଥାପ୍ପା ଓ ଦୁବେ ସବୁ ଆର୍‌ସିବି ବୋଲରଙ୍କୁ ନିର୍ଧୂମ ଛେଚିଥିଲେ। ଉଭୟ ମିଳିତ ଭାବେ ୭୩ ବଲ୍‌ ଖେଳି ୧୬୫ ରନ୍ ଅମଳ କରିଥିଲେ। ଯେ କୌଣସି ୱିକେଟ୍ ପାଇଁ ଚେନ୍ନାଇର ଏହା ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାରି ଥିଲା। ଏଥିପାଇଁ ଚଳିତ ଋତୁରେ ଚେନ୍ନାଇର ଦଳଗତ ସ୍କୋର ଦ୍ବିତୀୟ ଥର ପାଇଁ ୨୦୦ ରନ୍ ଟପି ଯାଇଥିଲା। ଶେଷ ବଲ୍‌ରେ ଛକା ମାରି ଆଇପିଏଲ୍ ଶତକ ପୂରଣ କରିବାର ସୁଯୋଗ ଥିଲେ ମଧ୍ୟ ଦୁବେ ସିଙ୍ଗଲ ରନ୍ ନେଇ ମାତ୍ର ୫ ରନ୍ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଚେନ୍ନାଇ ପକ୍ଷରୁ ଆର୍‌ସିବି ବିପକ୍ଷରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରିବାରେ ମୁରଲୀ ବିଜୟଙ୍କ ସମକକ୍ଷ ହୋଇଥିଲେ। ବିଜୟ ୨୦୧୧ରେ ଆର୍‌ସିବି ବିପକ୍ଷରେ ୯୫ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଚେନ୍ନାଇ ପାଳିରେ ମୋଟ ୧୭ ଛକା ଦେଖିବାକୁ ମିଳିଥିଲା। କୌଣସି ମ୍ୟାଚ୍‌ରେ ଏହି ଦଳର ମଧ୍ୟ ଏହା ସର୍ବାଧିକ ସଂଖ୍ୟକ ଛକା ଥିଲା। ଚେନ୍ନାଇ ସ୍କୋର ଥିଲା ୨୧୬/୪।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ