ମୁମ୍ବାଇ ୦୮/୦୪:ବଲିଉଡର ଦୁଇ କ୍ୟୁଟ୍ କପଲ୍। ଆଲିଆ ଭଟ୍ଟ ଓ ରଣବୀର କପୁର। ଦୁହେଁ ମୋଷ୍ଟ ଆଡରବଲ୍ କପଲଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ଲଭ୍, ରୋମାନ୍ସ ଓ ବିବାହକୁ ନେଇ ସରଗରମ୍ ବଲିଉଡ୍। ଦୁହେଁ ଏପ୍ରିଲ୍ ୧୭ରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏସବୁ ଭିତରେ ଆସନ୍ତୁ ଜାଣିବା ଦୁହିଁଙ୍କ ଲଭଷ୍ଟୋରୀ। କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମର ପରୱାନା।
ଆଲିଆ ଅନେକ ସାକ୍ଷାତକାରରେ କୁହନ୍ତି, ରଣବୀର ପିଲାଦିନରୁ ହିଁ ତାଙ୍କ କ୍ରଶ୍। କିନ୍ତୁ ଦୁହିଁଙ୍କ ପ୍ରଥମ ଦେଖା କେଉଁଠି ହୋଇଥିଲା ଜାଣିଛନ୍ତି? ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ଶୁଟିଂ ସେଟରେ । ଚାଲିଥିଲା ଫିଲ୍ମ ‘ବାଲିକା ବଧୁ’ର ଶୁଟିଂ। ସେଟରେ ଦୁହେଁ ପରସ୍ପରକୁ ଭେଟିଥିଲେ । ସେହି ଫିଲ୍ମ ତ ରିଲିଜ ହୋଇପାରିଲାନି। କିନ୍ତୁ ସେଦିନର ସେହି ଦେଖା ଆଜି ନେଇଛି ସମ୍ପର୍କର ରୂପ। ପ୍ରେମ କିନ୍ତୁ ସେବେଠୁ ଆରମ୍ଭ ହୋଇନଥିଲା।
୨୦୧୭ରେ ଆରମ୍ଭ ହେଲା ଫିଲ୍ମ ବ୍ରହ୍ମାସ୍ତ୍ରର ଶୁଟିଂ । ଏହି ଫିଲ୍ମରେ ଆଲିଆ ଓ ରଣବୀରଙ୍କୁ କରାଯାଇଥିଲା କାଷ୍ଟ। ପିଲାବେଳୁ ରଣବୀରଙ୍କ ସହ ସହ କାମ କରିବାର ସ୍ବପ୍ନ ଦେଖୁଥିଲେ ଆଲିଆ। ଯାହାକି ହୋଇଥିଲା ପୂରଣ। ଆଉ କାମ ବାହାନାରେ ଦୁହେଁ ହୋଇଥିଲେ ନିକଟତର। ଦୁହିଁଙ୍କ ଅନେକ ସ୍ଥାନରେ ଏକାଠି ଦେଖିବା ପରେ ଜୋର ଧରିଥିଲା ଚର୍ଚ୍ଚା। କିଛି ଦିନ ପରେ ଦୁହେଁ ଅନେକ ଇଭେଣ୍ଟ୍ ଓ ଶୋରେ ନିଜ ପ୍ରେମକୁ ଜାହିର୍ କରିଥିଲେ। ଆଲୁ-ବୀର ଯୋଡ଼ି ଏବେ ଫ୍ୟାନଙ୍କ ପ୍ରଥମ ପସନ୍ଦ। ଦୁହିଁଙ୍କ ପରିବାରର ବି ରହିଛି ସମ୍ମତି।
ଆଲିଆଙ୍କ ପୂର୍ବରୁ ରଣବୀରଙ୍କ ସହ ଯୋଡ଼ା ଯାଇଛି ଅନେକ ଅଭିନେତ୍ରୀଙ୍କ ନାଁ । ଯେମିତି କି ଦୀପିକ ଓ କ୍ୟାଟ୍ରିନା। କିନ୍ତୁ ଆଲିଆଙ୍କ ସହ ତାଙ୍କ ସଂପର୍କ କିଛି ତ ଖାସ୍। ଆଲିଆ ବି ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସଂପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। କିନ୍ତୁ ତାହା ବେଶି ଦିନ ଚାଲି ନଥିଲା।
ରଣବୀର ଖୁବ୍ ଶାନ୍ତ ସ୍ୱଭାବର, ଆଉ ଆଲିଆ ଚୁଲବୁଲି। ଦୁହିଁଙ୍କ ସ୍ୱଭାବ ତ ମିଶେନି କିନ୍ତୁ ହୃଦୟ ମିଶିଗଲା। ଦୁହିଁଙ୍କୁ ଦେଖି କିଏ କୁହନ୍ତି ରବନେ ବନାଦି ଯୋଡ଼ି ତ କିଏ କୁହେ ପୂରା ପରଫେକ୍ଟ। ଖାଲି ଅପେକ୍ଷା ଦୁହିଁଙ୍କୁ ବର କନିଆ ରୂପରେ ଦେଖିବାକୁ।

