ପୁରୀ ୧୯/୦୩ : ଦୀର୍ଘ ଦୁଇବର୍ଷ ପରେ ପୁରୀରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତ ପୁରୀବାସୀ । ନିଜ ପରିବାର ସଦସ୍ୟଙ୍କ ସହିତ ରଙ୍ଗ ବୋଳି ହୋଲି ଖେଳର ମଜା ନେଇଛନ୍ତି ଉଭୟ ସହରବାସୀ ଓ ପର୍ଯ୍ୟଟକ । ପୁରୀ ବାସିନ୍ଦାଙ୍କ ସହ ବାହାରୁ ଆସିଥିବା ପର୍ଯ୍ୟଟକ ତଥା ଭକ୍ତ ମାନେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ କରୋନା ବିପତ୍ତିରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ।
ସେପଟେ ବେଳାଭୂମିରେ ପର୍ଯ୍ୟଟକ ମାନେ ଏକତ୍ରିତ ହୋଇ ହୋଲି ଖେଳ ସହ ସମୁଦ୍ର ସ୍ନାନର ମଜା ଉଠାଇଛନ୍ତି । ଦୀର୍ଘ ଦୁଇବର୍ଷ ପରେ ଆଜି ବେଳାଭୂମିରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଧୁମ୍ ଧାମରେ ହୋଲି ଉତ୍ସବକୁ ପାଳନ କରିଛନ୍ତି ଭକ୍ତ, ଶ୍ରଦ୍ଧାଳୁ ଓ ସହରବାସୀ । ସମଗ୍ର ମାନବ ସମାଜକୁ କରୋନା ମହାମାରୀ ବିପଦରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଅଗଣିତ ଭକ୍ତ ।
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭକ୍ତମାନେ ନିଜ ପରିବାର ସଦସ୍ୟଙ୍କ ସହ ପତିତପାବନଙ୍କୁ ଦର୍ଶନ କରିବା ସହ ପରସ୍ପରଙ୍କ ମଧ୍ୟରେ ରଙ୍ଗ ବୋଳି ହୋଲିର ଆନନ୍ଦ ନେଇଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଭକ୍ତ ମାନେ ବେଶ୍ ପ୍ରଶଂସା କରିଛନ୍ତି।