ଭୁବନେଶ୍ୱର : କୋଭିଡ୍ ସମୟରେ ରାଜ୍ୟର ପ୍ରାୟ ୮ଲକ୍ଷ ପିଲା ପାଠ ଛାଡ଼ିଛନ୍ତି। ସେମାନେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ହୋଟେଲ, ଢାବା, ଲଜ୍, ବେସରକାରୀ ଅନୁଷ୍ଠାନ, ଘରୋଇ କାମରେ ନିୟୋଜିତ ଅଛନ୍ତି। ଯେହେତୁ ସରକାରୀ ସ୍କୁଲ ବନ୍ଦ ଥିଲା, ସଠିକ ହିସାବ ମିଳିବା କଷ୍ଟକର। ଏବେ ସ୍କୁଲ ଖୋଲିବା ପରେ ସେମାନଙ୍କୁ ପୁଣି ଫେରାଇ ଆଣି ସ୍କୁଲରେ ନାମ ଲେଖାଇବା ସହ ସେମାନଙ୍କ ରହିବା ପାଇଁ ସଠିକ୍ ବ୍ୟବସ୍ଥା କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଗତ ଜାନୁଆରିରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଏକ ମାମଲା ଦାୟର କରିଥିଲା। କମିସନ୍ର ଅଧ୍ୟକ୍ଷ ଜଷ୍ଟିସ ବିଜୟକ୍ରିଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ବେଞ୍ଚ ଉକ୍ତ ମାମଲାର ଶୁଣାଣି କରି ଏପ୍ରିଲ ୨୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ତିନି ବିଭାଗ ଯଥା ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ମନୋଜ ଜେନା ଏହି ସମସ୍ୟା ନେଇ ଜାନୁଆରି ୧୦ରେ କମିସନଙ୍କ ଦୃଷ୍ଟିକୁ ଆଣିଥିଲେ। ଶ୍ରୀ ଭଟ୍ଟ ଦର୍ଶାଇଥିଲେ ଯେ ଓଡ଼ିଶାରେ ବୁଲିବା ସମୟରେ ଢାବା, ଲଜ୍, ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଛୋଟ ପିଲାମାନେ କାମ କରୁଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୮ଲକ୍ଷ ହେବ। ବିଶେଷକରି କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସୋନପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର ଆଦି ଜିଲ୍ଲାରୁ ପିଲାମାନେ ଅନ୍ୟ ଜିଲ୍ଲାକୁ ପଳାଉଛନ୍ତି। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଜିଲ୍ଲାରୁ ପିଲାମାନେ ସେମାନଙ୍କ ପରିବାର ସହ ବାହାରକୁ ଇଟାଭାଟିରେ କାମ କରିବାକୁ ଯାଉଛନ୍ତି। ସେମାନେ ଯଦି ଏବେ ନ ଫେରିବେ, ତେବେ ଆଉ ପାଠ ପଢ଼ିପାରିବେ ନାହିଁ। ସେଥିପାଇଁ ଉକ୍ତ ତିନି ବିଭାଗ ମିସନ୍ ମୋଡ୍ରେ ତୁରନ୍ତ ପିଲାଙ୍କୁ ଫେରାଇ ଆଣିବାକୁ ଶ୍ରୀ ଭଟ୍ଟ ଅନୁରୋଧ କରିଥିଲେ। ମାମଲାର ଶୁଣାଣି କରି ଏପ୍ରିଲ ୨୬ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କମିସନ୍ ଅଧ୍ୟକ୍ଷ ଓ ସଦସ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ସମୟରେ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଓ ସଙ୍ଗଠନ ସମ୍ପାଦକ ରମେଶ ଭାରତୀ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ।

