ଖେଳ ଦେଶ ବିଦେଶ

ଗୋଲାପି ବଲ୍ ଟେଷ୍ଟ୍ ପାଇଁ ଭାରତ ପ୍ରସ୍ତୁତ, ରୋହିତ ଖେଳିବେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌

ବେଙ୍ଗାଲୁରୁ: ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା‌ ବିପକ୍ଷ ଦିବାରାତ୍ର ବା ଗୋଲାପି ବଲ୍ ଟେଷ୍ଟ୍ ଲାଗି ଟିମ୍ ଇଣ୍ଡିଆ ପୂରା ପ୍ରସ୍ତୁତ ଅଛି। ବିସିସିଆଇ ଟ୍ବିଟ୍ କରି ଏହି ସୂଚନା ଦେଇଛି। ଭାରତୀୟ ଖେଳାଳି ଜୋର୍‌ଦାର ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ଛାଡ଼ିଛି ବିସିସିଆଇ। ଭାରତ ଶେଷ ଥର ପାଇଁ ପାଖାପାଖି ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ଧୂଳି ଚଟାଇଥିଲା। ଏହି ମ୍ୟାଚ୍ ମାତ୍ର ଦୁଇ ଦିନ ଭିତ‌ରେ ଶେଷ ହୋଇଯାଇଥିଲା। ସେଥିପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭାରତ ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଟେଷ୍ଟ୍‌କୁ ତିନି ଦିନ ଭିତରେ ଜିତି ନେଇଥିବା ଭାରତ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍‌କୁ ଜିତି ଦୁଇ ଟିକିଆ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ।

ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା। ଯାହାକୁ ଭାରତ ଅତି ସହଜରେ ଜିତି ନେଇଥିଲା। ୨୦୨୦ରେ ଆଡିଲେଡ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍‌ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହୋଇଥିଲା। ଯାହା ଟେଷ୍ଟ୍ କ୍ରିକେଟ୍‌ରେ ତା’ର ସର୍ବନିମ୍ନ ଦଳଗତ ସ୍କୋର ଥିଲା।

ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍ ପୂର୍ବରୁ ଅଭିଜ୍ଞ ସ୍ପିନର ଆର୍‌ ଅଶ୍ବିନ କିନ୍ତୁ ସାଥୀ ଖେଳାଳିଙ୍କୁ ସଜାଗ ରହିବାକୁ ଚେତାଇ ଦେଇଛନ୍ତି। ‘‘ଗୋଲାପି ବଲ୍ ଟେଷ୍ଟ୍ ଲାଗି ପ୍ରସ୍ତୁତି କରିବା ଅତ୍ୟନ୍ତ କଷ୍ଟକର। କେବେ କେବେ ଏହାକୁ ନେଇ ପୂର୍ବାନୁମାନ ଲଗାଇବା‌ କଷ୍ଟକର ହୋଇଯାଇଥାଏ। ଆମେ ଏ ପର୍ଯ୍ୟନ୍ତ ତିନିଟି ଗୋଲାପି ବଲ୍ ଟେଷ୍ଟ୍ ଖେଳିଛୁ। ଆଉ ପ୍ରତିଥର କିଛି ନା କିଛି ନୂଆ କଥା ଶିଖିବାକୁ ପାଇଛୁ।’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଅଶ୍ବିନ। ଭରତୀୟ ଦଳ ଏହି ମ୍ୟାଚ୍‌ରେ କଚଟି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନେଇଛି। ତେବେ ଅନ୍ୟତମ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଚମତ୍କାର କ୍ରିକେଟ୍ ‌ଖେଳୁଥିବାରୁ ଚୂଡ଼ାନ୍ତ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇବାର ସମ୍ଭାବନା କମ୍‌ ରହିଛି। ଭାରତ ଭଳି ଶ୍ରୀଲଙ୍କା‌ ଖେଳିଥିବା ତିନିଟି ଗୋଲାପି ବଲ୍ ଟେଷ୍ଟ୍‌ରୁ ଦୁଇଟିରେ ବିଜୟୀ ‌ହୋଇଥିଲା ବେଳେ ଗୋଟିକରେ ପରାଜିତ ହୋଇଛି। ଉଭୟ ଦଳ ଏବେ ପ୍ରାୟତଃ ସମାନ ସ୍ତରରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ‌ ଶୋଚନୀୟ ପରାଜୟ ବରଣ କରିଥିବା ଶ୍ରୀଲଙ୍କା ବେଙ୍ଗାଲୁରୁ ଟେଷ୍ଟ୍‌ରେ ଦ୍ରୁତ ବୋଲର ଲାହିରୁ କୁମାରଙ୍କ ସେବାରୁ ବଞ୍ଚିତ ହେବ। ମୋହାଲି ଟେଷ୍ଟ୍‌ରେ ଆହତ ହୋଇଥିଲେ ସେ।

ରୋହିତ ଖେଳିବେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌
ବେଙ୍ଗାଲୁରୁ, ୧୦ା୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ଦ୍ବାରରେ ପହଞ୍ଚିଛନ୍ତି। ବେଙ୍ଗାଲୁରୁରେ ଶନିବାର ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଖେଳିଲେ ସେ ନବମ ଭାରତୀୟ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେବେ। ରୋହିତ ଏ ପର୍ଯ୍ୟନ୍ତ ୪୪ ଟେଷ୍ଟ୍‌, ୨୩୦ ଦିନିକିଆ ଏବଂ ୧୨୫ ଟ୍ବେଣ୍ଟି-୨୦ ସହ ମୋଟ ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ପୂର୍ବରୁ ୪୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଭାରତୀୟ ଖେଳାଳିମାନେ ହେଲେ ସଚିନ ତେନ୍ଦୁଲକର (୬୬୪), ମହେନ୍ଦ୍ର ସିଂହ ଧୋନି (୫୩୮), ରାହୁଲ ଦ୍ରାବିଡ଼ (୫୦୯), ବିରାଟ କୋହଲି (୪୫୭), ମହମ୍ମଦ ଆଝାରୁଦ୍ଦିନ (୪୩୩), ସୌରଭ ଗାଙ୍ଗୁଲି (୪୨୪), ଅନିଲ କୁମ୍ବଲେ (୪୦୩) ଓ ଯୁବରାଜ ସିଂହ (୪୦୨)।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ