ଧର୍ମଶାଳା,୨୬/୦୨: ଶନିବାର ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍କୁ ୬୨ରନ୍ରେ ଜିତିବା ପରେ ରୋହିତ ବାହିନୀ ଏବେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆର ବିଜୟଧାରାରେ ବ୍ରେକ୍ ଲଗାଇବାକୁ ପ୍ରୟାସ କରିବ । ଭାରତୀୟ ଦଳ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍ରେ ଅପରାଜେୟ ରହିଛି । ଆଜି ମ୍ୟାଚ୍ରେ ଦଳ ଆଧିପତ୍ୟ ଜାରି ରଖିବା ନେଇ ପ୍ରସ୍ତୁତ ରହିଛି । ମ୍ୟାଚ୍ ରାତି ୭.୦୦ରୁ ଆରମ୍ଭ ହେବ ।
ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନପାରେ । ପ୍ରଥମ ମ୍ୟାଚ୍ରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଗତ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ନିରାଶ କରିଥିବା ଯୁବ ଓପନର ଈଶାନ କିଷନ ପ୍ରଥମ ମ୍ୟାଚ୍ରେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଥିବାବେଳେ ୩ନଂ ସ୍ଥାନରେ ଶ୍ରେୟାସ ଆୟର ଅପରାଜିତ ୫୭ରନ୍ କରିଥିଲେ । ସଞ୍ଜୁ ସାମସନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା । ସେ ନିଜ ବ୍ୟାଟିଂ ଦକ୍ଷତା ଦେଖାଇବାକୁ ଅପେକ୍ଷା କରିଛନ୍ତି । ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି। କେବଳ ଫିଲ୍ଡିଂରେ ଉନ୍ନତି ଆଣିବା ଜରୁରୀ । ପ୍ରଥମ ମ୍ୟାଚ୍ରେ ଭାରତୀୟ ଖେଳାଳିମାନେ ୩ଟି କ୍ୟାଚ୍ ହାତଛଡ଼ା କରିଥିଲେ । ତେଣୁ ରୋହିତ ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଫିଲ୍ଡିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ।
ଅନ୍ୟ ପଟରେ ଶ୍ରୀଲଙ୍କା ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ ରହିଛି । ପ୍ରଥମ ମ୍ୟାଚ୍ ଖେଳିନଥିବା ଦନୁଷ୍କା ଗୁଣଥିଲକା ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଗତକାଲି ସ୍ପିନର ମହେଶ ତୀକ୍ଷଣା ଓ କୁଶଲ ମେଣ୍ଡିସ୍ ଆହତ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଥିଲେ । ମେଣ୍ଡିସ୍ଙ୍କ ସ୍ଥାନରେ ନିରୋଶାନ ଡିକ୍ୱେଲାଙ୍କୁ ଦଳରେ ସାମିଲ୍ କରାଯାଇଛି । ସେ ଏକାଦଶରେ ସ୍ଥାନ ପାଇପାରନ୍ତି । ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ଚରିଥ ଆଶାଲଙ୍କାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।