ନୂଆଦିଲ୍ଲୀ,୦୩/୦୨: ଶ୍ରୀଲଙ୍କା ଦଳ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ପ୍ରଥମେ ୨ଟି ଟେଷ୍ଟ ଏବଂ ପରେ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ଼ ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଆୟୋଜନ ପାଇଁ ପ୍ରସ୍ତାବ ଦେବା ପରେ ବିସିସିଆଇ ପୂର୍ବ ଘୋଷିତ କ୍ରୀଡ଼ାସୂଚୀରେ ପରିବର୍ତ୍ତନ କରିବାକୁ ବିଚାର ବିମର୍ଶ କରୁଛି । ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବା ସମ୍ଭାବନା ରହିଛି । ସେହିପରି ୨ଟି ଟେଷ୍ଟ ମଧ୍ୟରୁ ଗୋଟିଏ ମ୍ୟାଚ୍ ପିଙ୍କ୍ ବଲ୍ (ଦିବା-ରାତ୍ର)ରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଥିବା ସୂଚନା ମିଳିଛି ।
ପୂର୍ବ ଘୋଷିତ ସୂଚୀ ଅନୁଯାୟୀ, ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରଥମ ଟେଷ୍ଟ ଏବଂ ମାର୍ଚ୍ଚ ୫ରୁ ୯ ପର୍ଯ୍ୟନ୍ତ ମୋହାଲି ଦ୍ୱିତୀୟ ଟେଷ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମାର୍ଚ୍ଚ ୧୩ରେ ପ୍ରଥମ ଟି-ଟ୍ୱେଣ୍ଟି (ମୋହାଲି), ୧୫ରେ ଦ୍ୱିତୀୟ (ଧର୍ମଶାଳା) ଓ ୧୮ରେ ତୃତୀୟ (ଲକ୍ଷ୍ନୌ ) ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି ।
ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, କରୋନା ମହାମାରୀକୁ ନଜରରେ ରଖି ବିସିସିଆଇ ପୂର୍ବତନ ସୂଚୀ ପରିବର୍ତ୍ତନ କରିବାକୁ ଚାହୁଁଛି। ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବା ସମ୍ଭାବନା ରହିଛି । ଧର୍ମଶାଳାରେ ପ୍ରଥମ ୨ଟି ଏବଂ ମୋହାଲିରେ ତୃତୀୟ ମ୍ୟାଚ୍ ଆୟୋଜନ କରାଯାଇପାରେ । ଏହାପରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟକୁ ପିଙ୍କ୍ ବଲ୍ରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ବୋର୍ଡ଼ ପକ୍ଷରୁ ଖୁବଶୀଘ୍ର ନୂଆ କ୍ରୀଡ଼ାସୂଚୀ ଘୋଷଣା କରାଯିବ ।