ନୂଆଦିଲ୍ଲୀ,୧୪/୧୧: ଅଷ୍ଟ୍ରେଲିଆର ରନ୍ ମେସିନ ଷ୍ଟିଭ୍ ସ୍ମିଥ୍ ଜସପ୍ରିତ ବୁମରାହ ଓ ମହମ୍ମଦ ସାମିଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି । ସ୍ମିଥ୍ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ ପୂର୍ବରୁ ସର୍ଟ ବଲକୁ ଡରନ୍ତି ନାହିଁ ବୋଲି କହିଛନ୍ତି ।
ସିରିଜ ପୂର୍ବରୁ ସ୍ମିଥ୍ କହିଛନ୍ତି ଯେ, ସେ ଜୀବନରେ ଅନେକ ସର୍ଟ ବଲ୍ ଖେଳିଛନ୍ତି । ତେଣୁ ବୁମରାହ କିମ୍ବା ସାମିଙ୍କ ବଲ୍ କିଛି ପ୍ରଭାବ ପକାଇବ ନାହିଁ । ତାଙ୍କୁ ସର୍ଟ ବଲ୍ ପକାଇଲେ ଅଷ୍ଟ୍ରେଲିଆର ଫାଇଦା ହେବ । ଯଦି ଭାରତୀୟ ବୋଲର ତାଙ୍କୁ ସର୍ଟ ବଲ୍ ପକାଇ ହଇରାଣ କରିବାକୁ ଚିନ୍ତା କରୁଥାନ୍ତି ତେବେ ଓଲଟା ଅଷ୍ଟ୍ରେଲିଆର ଫାଇଦା ହେବ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ସିରିଜରେ ବାମହାତୀ ଦ୍ରୁତ ବୋଲର ନୀଲ ବାଗନେର ସ୍ମିଥଙ୍କୁ ସର୍ଟ ପିଚ ବଲରେ ଆଉଟ କରିଥିଲେ । ଏହାକୁ ନେଇ ସ୍ମିଥ୍ କହିଛନ୍ତି ଯେ, ବାଗନେର୍ ଭଲ ବୋଲିଂ କରିଥିଲେ । କିନ୍ତୁ ପୁରୁଣା ଭୁଲ ସେ ଦୋହରାଇବେ ନାହିଁ । ଆଉ ବି କିଛି ବିପକ୍ଷ ଟିମ୍ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ସୂଚନାଯୋଗ୍ୟ, ଭାରତ ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଦିନିକିଆ, ତିନୋଟି ଟି୨୦ ଓ ଚାରୋଟି ଟେଷ୍ଟ୍ ଖେଳିବ । ଭାରତର ଦ୍ରୁତ ବୋଲିଂ ଭାର ଜସପ୍ରିତ ବୁମରାହ ଓ ମହମ୍ମଦ ସାମିଙ୍କ ହାତରେ ରହିବ । ଉମେଶ ଯାଦବ ଓ ନବଦୀପ ସୈନୀ ମଧ୍ୟ ଟେଷ୍ଟ୍ ଟିମରେ ସାମିଲ ହେବେ । ସୂଚନାଯୋଗ୍ୟ, ନଭେମ୍ବର ୨୭ରୁ ସିରିଜ ଆରମ୍ଭ ହେବ ।