ଖେଳ ଦେଶ ବିଦେଶ

ପ୍ରଥମ ଦିନିକିଆ ହାରିଲା ଭାରତ: ବଭୁମା ଓ ଦୁସେନଙ୍କ ଶତକ, ଦକ୍ଷିଣ ଆଫ୍ରିକା ୩୧ ରନ୍‌ରେ ବିଜୟୀ କୋହଲି-ଧାୱନଙ୍କ ଲଢ଼େଇ ବେକାର

ପର୍ଲ: ବିରାଟ କୋହଲି (୫୧)ଙ୍କ ନେତୃତ୍ବ ପରର ପ୍ରଥମ ମୁକାବିଲାରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ଦୀର୍ଘ ୫ ବର୍ଷ ପରେ ଅଧିନାୟକ ପରିବର୍ତ୍ତେ ଜଣେ ସାଧାରଣ ଖେଳାଳି ଭାବେ ଖେଳିଥିଲେ କୋହଲି। ସଙ୍କଟଜନକ ସ୍ଥିତିରେ ଖେଳିବାକୁ ଆସି ଲଢ଼ୁଆ ଅର୍ଦ୍ଧଶତକ ବି ହାସଲ କଲେ। ଭାରତ କିନ୍ତୁ ଘୋର ଦଳଗତ ବିଫଳତାର ସମ୍ମୁଖୀନ ହୋଇ ତିନି ଟିକିଆ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୩୧ ରନ୍‌ରେ ହାରିଲା। ଟେଷ୍ଟ ଶୃୃଙ୍ଖଳାରେ ଲଗାତାର ପରାଜୟ ବରଣ କରିବା ପରେ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ସେହି ପରାଜୟରେ ଆରମ୍ଭ କରିଛି। ନୂଆ ଅଧିନାୟକ କେଏଲ୍ ରାହୁଲ ନିଜ ଅଧିନାୟକତ୍ବର ପ୍ରଥମ ମୁକାବିଲାରେ ପୂରା ବିଫଳ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କୋହଲିଙ୍କ ସହ ଅଭିଜ୍ଞ ଓପନର ଶିଖର ଧାୱନ (୭୮)ଙ୍କ ଅର୍ଦ୍ଧଶତକ ବି ବେକାର ଯାଇଥିଲା। ଅନ୍ୟପକ୍ଷରେ ଅଧିନାୟକ ତେମ୍ବା ବଭୁମା ଓ ରସେ ଭାନଡର ଦୁସେନଙ୍କ ଚିତାକର୍ଷକ ଶତକ ବଳରେ ଦକ୍ଷିଣ ଆଫ୍ରିକା ଆଉ ଏକ ଆଧିପତ୍ୟଭରା ବିଜୟ ହାସଲ କଲା। ତା’ ସହ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା।

ବୁଧବାର ୨୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୬ ରନ୍‌ରେ ରାହୁଲଙ୍କ ୱିକେଟ୍ ହରାଇଥିଲା। ତେବେ ଧାୱନ ଓ କୋହଲି ଦ୍ବିତୀୟ ୱିକେଟ୍‌ରେ ୯୨ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହି ଦୁଇ ଜଣ ମାତ୍ର ୧୪ ରନ୍ ଭିତରେ ଆଉଟ୍ ହୋଇଯିବା ପରେ ମ୍ୟାଚ୍ ଧୀରେଧୀରେ ଦକ୍ଷିଣ ଆଫ୍ରିକା ଆଡ଼କୁ ଢଳିଥିଲା। ମଧ୍ୟକ୍ରମରେ ଋଷଭ ପନ୍ତ (୧୬), ଶ୍ରେୟସ୍ ଆୟର (୧୭) ଓ ଭେଙ୍କଟେଶ ଆୟର (୨) ବିଫଳ ହେବା ହିଁ ଦଳ ହାରିବାର ମୁଖ୍ୟ କାରଣ ଥିଲା। ଶେଷ ଆଡ଼କୁ ଶାର୍ଦୁଳ ଠାକୁର (୫୦* ରନ୍, ୪୩ ବଲ୍, ୫ ଚୌକା, ୧ ଛକା) ମନୋରଞ୍ଜନଭରା ଅର୍ଦ୍ଧଶତକ ହାସଲ କରିବା ସତ୍ତ୍ବେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୬୫ ରନ୍ କରିପାରିଥିଲା।
ପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲର କିନ୍ତୁ ଘରୋଇ ଦଳର ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ମାତ୍ର ୬୮ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଜାନେମନ ମଲାନ (୪)ଙ୍କୁ ଯଶପ୍ରୀତ ବୁମ୍‌ରା ପଞ୍ଚମ ଓଭରରେ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ଏହା ପରେ ସ୍ପିନର ଆର ଅଶ୍ବିନ ନିକଟରେ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ଦକ୍ଷିଣ ଆଫ୍ରିକାର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’କକ୍‌ଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ୫୮ ରନ୍‌ରେ ଦୁଇ ଓପନରଙ୍କୁ ହରାଇଥିବା ଦକ୍ଷିଣ ଆଫ୍ରିକା ୧୦ ରନ୍ ପରେ ତୃତୀୟ ୱିକେଟ୍ ଭାବେ ଏଦେନ ମର୍କରାମଙ୍କୁ ହରାଇଥିଲା। ତାଙ୍କୁ ଭେଙ୍କଟେଶ ଆୟର ଏକ ସଠିକ୍ ତଥା ସିଧା ଥ୍ରୋରେ ରନ୍‌ଆଉଟ୍ କରି ଦେଇଥିଲେ।

ତେବେ ଭାରତୀୟ ବୋଲରଙ୍କ ଖୁସି ସେହିଠାରେ ହିଁ ସୀମିତ ରହିଯାଇଥିଲା। ଦୀର୍ଘ ସାଢ଼େ ଚାରି ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ବଭୁମା ଓ ରସେ ଭାନଡର ଦୁସେନ ଚତୁର୍ଥ ୱିକେଟ୍‌ରେ ୨୦୪ ରନ୍ ଯୋଡ଼ି ଭାରତକୁ ପୂରା ନିରାଶ କରି ଦେଇଥି‌ଲେ। ଉଭୟ ମଧ୍ୟ ନିଜ ନିଜର ଶତକ ପୂରଣ କରି ନେଇଥ‌ିଲେ। ସଂଯୋଗବଶତଃ ଉଭୟ ଦ୍ବିତୀୟ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ। ୪୯ତମ ଓଭରର ପ୍ରଥମ ବଲ୍‌ରେ ବଭୁମାଙ୍କୁ ବୁମ୍‌ରା କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ତେବେ ସେତେବେଳକୁ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରି ନେଇଥିଲା। ମାତ୍ର ୮୩ ବଲ୍‌ରୁ ଶତକ ହାସଲ କରିଥିବା ଦୁସେନଙ୍କୁ କୌଣସି ଭାରତୀୟ ବୋଲର ଆଉଟ୍ କରି ପାରି ନଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହିଥିଲେ। ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ