ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏମ୍ସର ଏମ୍ବିବିଏସ୍, ପିଜି, ବିଏସ୍ସି ନର୍ସିଂ, ଏମ୍ଏସ୍ସି ନର୍ସିଂର ଅଫଲାଇନ୍ କ୍ଲାସ୍କୁ ବନ୍ଦ କରାଯାଇଛି। ପ୍ରତି ବଦଳରେ ଜାନୁଆରି ୧୦ରୁ ଅନଲାଇନ୍ କ୍ଲାସ ହେବ। ପ୍ରାକ୍ଟିକାଲ କ୍ଲାସ ମଧ୍ୟ ବନ୍ଦ ରହିବ କିନ୍ତୁ ୱାର୍ଡରେ ରୋଗୀ ଚିକିତ୍ସା ଭଳି କ୍ଲିନିକାଲ କ୍ଲାସ କିନ୍ତୁ ପୂର୍ବବତ୍ ଜାରି ରହିବ। ସେମିନାର୍, ଗ୍ରୁପ ଡିସକସନ୍ ଆଦି ମଧ୍ୟ ଅନଲାଇନ୍ରେ ହେବ। ପରୀକ୍ଷା କିନ୍ତୁ ପୂର୍ବବତ୍ ଜାରି ରହିବ। ଛାତ୍ରାବାସ ଛାଡ଼ିବାକୁ ନିର୍ଦ୍ଦେଶ ହୋଇନାହିଁ।
ଆସନ୍ତା ସପ୍ତାହରେ ଡିନ୍ ଏ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି, ଯେଉଁ ପ୍ରାକ୍ଟିକାଲ କ୍ଲାସଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଲା, ପରିସ୍ଥିତି ସ୍ବାଭାବିକ ହେବା ପରେ ପରବର୍ତ୍ତୀ ସମୟରେ କରାଯିବ, ଯେପରି ବିଦ୍ୟାର୍ଥୀମାନେ କ୍ଷତିଗ୍ରସ୍ତ ହେବେ ନାହିଁ। ପୂର୍ବ ବର୍ଷମାନଙ୍କରେ ଏଥିପାଇଁ ଛୁଟି ମଧ୍ୟ ବାତିଲ କରାଯାଇଛି।

