ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ଭାରତ ଟେଷ୍ଟ୍‌ ଶୃଙ୍ଖଳା: ଭାରତ ୨୦୨ରେ ଅଲ୍‌ଆଉଟ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ମାଟିରେ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳକୁ‌ ସୋମବାର ଝଟ୍‌କା ଲାଗିଛି। ୱଣ୍ଡରର୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ବିରାଟ କୋହଲିଙ୍କ ବିନା ଖେଳିଥିବା ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୨୦୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଛି। କାମଚଳା ଅଧିନାୟକ କେଏଲ୍ ରାହୁଲ୍ (୫୦, ୧୩୩ ବଲ୍‌, ୯ ଚୌକା) ଏବଂ ଆର୍‌ ଅଶ୍ବିନ୍ (୪୬, ୫୦ ବଲ୍, ୬‌ ଚୌକା)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ପ୍ରଭାବ ଛାଡ଼ି ପାରିନାହାନ୍ତି। ଦୁଇ ବରିଷ୍ଠ ଖେଳାଳି ଚେତେଶ୍ବର ପୂଜାରା (୩) ଏବଂ ଅଜିଙ୍କ୍ୟ ରାହାଣେ (୦)ଙ୍କ ସଂଘର୍ଷ ଜାରି ରହିଥିଲା। ମୟଙ୍କ ଅଗ୍ରୱାଲ୍ (୨୬, ୩୭ ବଲ୍‌, ୫ ଚୌକା) ଏବଂ ଆହତ କୋହଲିଙ୍କ ବଦଳରେ ପ୍ରତ୍ୟାବର୍ତନ କରିଥିବା ହନୁମା ବିହାରୀ (୨୦, ୫୩ ବଲ୍) ସୁଯୋଗ ହାତଛଡ଼‌ା କରି ଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି ରାହୁଲ ଓ ମୟଙ୍କଙ୍କ ସହିତ ଅଧିକାଂଶ ଖେଳାଳି ଟେଷ୍ଟ୍‌ କ୍ରିକେଟ୍ ଚରିତ୍ରରେ ନ ଖେଳି ଭାରତର ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ରାହୁଲ। କଷ୍ଟକର ପ୍ରଥମ ଘଣ୍ଟାରେ ଭାରତ ୱିକେଟ୍ ହରାଇନଥିଲେ ମଧ୍ୟ କିଛି ବ୍ୟାଟର୍‌ ଦାୟିତ୍ବହୀନ ସଟ୍ ଖେଳିବା କାରଣରୁ ଦଳ ୨୦୨ ରନ୍‌ରେ ସୀମିତ ରହିଯାଇଥିଲା। ଚା’ପାନ ବିରତି ପରେ ଭାରତ ୫ ୱିକେଟ୍‌ ହରାଇବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଅଶ୍ବିନଙ୍କ ଦ୍ରୁତ ପାଳି ମିଳିନଥି‌ଲେ ଭାରତ ୨୦୦ ଟପିବା ମୁସ୍କିଲ ହୋଇଥାନ୍ତା। ଘରୋଇ ଦଳ ପକ୍ଷରୁ ମାର୍କୋ ଜାନ୍‌ସେନ୍ ୪ ୱିକେଟ୍ ନେଇଥି‌ବା ବ‌େଳେ ଟେଷ୍ଟ୍ କ୍ରିକେଟ୍‌କୁ‌ ଫେରିଥିବା ଡୁଆନ୍‌ ଓଲିଭର୍‌ ୩ ୱିକେଟ୍ ନେଇଥିଲେ। କାଗିସୋ ରବାଦା ଶେଷକୁ ୩ ୱିକେଟ୍ ନେଇ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଜାରି ରଖିଥିଲେ। ଓଲିଭର୍‌ ଲଗାତାର ବଲରେ ପୂଜାରା ଓ ରାହାଣେଙ୍କୁ ଆଉଟ୍ କରି ମଧ୍ୟ ୫୦ ଟେଷ୍ଟ୍ ୱିକେଟ୍‌ ପୂର୍ଣ୍ଣ କରିଥିଲେ।
ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନ ଖେଳ ବନ୍ଦ ବେଳକୁ ୧୮ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୩୫ ରନ୍‌ କରିଛି। କଷ୍ଟକର ପିଚ୍‌ କାରଣରୁ କେଉଁ ଦଳ ପ୍ରଥମ ଦିନର ସମ୍ମାନ ନେଇଛି କହିବାକୁ କ୍ରିକେଟ୍ ପଣ୍ଡିତ ମାନେ ଉଚିତ ମଣିନାହାନ୍ତି।

ଜୋହାନ୍ସବର୍ଗ: ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଥିଲା। ଅଧିନାୟକ ବିରାଟ କୋହଲିଙ୍କ ପିଠିର ଉପରି ଭାଗରେ ସମସ୍ୟା ଦେଖାଦେବାରୁ ସେ ଉପଲବ୍‌ଧ ହୋଇନଥିଲେ। ଫଳରେ ତାଙ୍କ ବଦଳରେ ଅପେକ୍ଷାରେ ଥିବା ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତନର ସ‌ୁଯୋଗ ପାଇଛନ୍ତି। ଏଥି ସହିତ ଦିନିକିଆ ଶୃଙ୍ଖଳା ପାଇଁ ଅଧିନାୟକ ନିଯୁକ୍ତ ‌କେଏଲ୍ ରାହୁଲ୍ ମଧ୍ୟ ଟେଷ୍ଟ୍‌ ଦଳର ନେତୃତ୍ବ ନେବା ସ‌ୁଯୋଗ ପାଇଛନ୍ତି। ବୁମରାଙ୍କୁ ଦିନିକିଆ ଦଳ ଭଳି ଏହି ଟେଷ୍ଟ୍‌ ଲାଗି ଉପଅଧିନାୟକ ନିଯୁକ୍ତ କରାଯାଇଛି। ନେତୃତ୍ବ ନେବାର ପ୍ରଥମ ଦିବସରେ ରାହୁଲ ଟସ୍ ଜିତିବା ସହ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ।

ଅନ୍ୟପକ୍ଷରେ ପ୍ରତ୍ୟାବର୍ତନ ପାଳିରେ ବିହାରୀ ଦୃଢ଼ ବ୍ୟାଟିଂ କରିଥିଲେ ମଧ୍ୟ ୫୩ ବଲରୁ ୨୦ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଅନ୍ୟତମ ଅପେକ୍ଷାରତ ବ୍ୟାଟର୍‌ ତଥା ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭଲ ଖେଳିଥିବା ଶ୍ରେୟସ ଆୟର ଚୂଡ଼ାନ୍ତ ଏକାଦଶରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବିହାରୀ ବହୁ ଆଗରୁ ଭାରତ ‘ଏ’ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାରୁ ଅଗ୍ରାଧିକାର ପାଇଥିଲେ। ଆୟରଙ୍କ ପେଟ ସମସ୍ୟା ଦେଖାଦେବାରୁ ମଧ୍ୟ ତାଙ୍କୁ ବିଚାରକୁ ନିଆଯାଇନଥିଲା। ଆହତ ବିରାଟ କୋହଲି ଏବେ ଜାନୁଆରି ୩ ତାରିଖରୁ କେପ୍‌ଟାଉନ୍‌ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍‌ ବେଳକୁ ଦଳକୁ ଫେରିବେ ବୋଲି ଆଶା କରାଯାଉଛି। ଦ୍ବିତୀୟ ଟେଷ୍ଟ୍‌ରୁ ବଞ୍ଚିତ ରହିବାରୁ କୋହଲି ମଧ୍ୟ କେପ୍‌ଟାଉନ୍‌ରେ ନିଜ ୧୦୦ତମ ଟେଷ୍ଟ୍‌ ଖେଳିବା ସୁଯୋଗ ହରାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ବାଙ୍ଗାଲୋର୍ ଟେଷ୍ଟ୍ ଏବ‌େ ତାଙ୍କ ପାଇଁ ୧୦୦ତମ ହେବ। ୩୩ ବର୍ଷୀୟ କୋହଲି ମଧ୍ୟ ଜାନୁଆରି ୧୯ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃ୍‌ଙ୍ଖଳାରେ କେଏଲ୍ ରାହୁଲଙ୍କ ଅଧିନରେ‌ ଖେଳିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ