ଖେଳ ଦେଶ ବିଦେଶ

Pଆଇନାରେ ୨୦୨୧: ଅସୁମାରି ସମ୍ଭାବନା

ଓଡ଼ିଶା କ୍ରୀଡ଼ା ପାଇଁ ଅସୁମାରି ସ୍ବପ୍ନ, ସମ୍ଭାବନା ଓ ସୁଯୋଗ ନେଇ ଆସିବ ୨୦୨୨ କ୍ୟାଲେଣ୍ଡର୍‌ ବର୍ଷ ତଥା ୨୦୨୨-୨୩ ଋତୁ। ରାଜ୍ୟର ଯୁବ, ଉଦୀୟମାନ, ପ୍ରତିଭାବାନ ଖେଳାଳିମାନେ ପଡ଼ିଆ ଭିତରେ ତାଙ୍କ ପ୍ରତିଶ୍ରୁତିବଦ୍ଧତାର ପରାକାଷ୍ଠା ‌ଦେଖାଇବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ ଖେଳ ଓ ଖେଳାଳିଙ୍କ ପାଇଁ ଓଡ଼ିଶା ସରକାର ତାଙ୍କ ପ୍ରତିଜ୍ଞା ମୁତାବକ ଏକାଧିକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଏବଂ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ରୂପରେଖାକୁ ଚୂଡାନ୍ତ ସ୍ପର୍ଶ ଦେବା ସହ ଲୋକର୍ପିତ କରିବେ।

ନୂଆବର୍ଷ ଡବୁଲ୍ୟବିଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍ ଭଳି ବଡ଼ ପ୍ରତିଯୋଗିତାରୁ ଆରମ୍ଭ ହେବ। ଭୁବନେଶ୍ବରରେ ଏହା ଖେଳାଯିବ। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ସେହିଭଳି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା, କିଟ୍‌ ଗ୍ରାଣ୍ଡମାଷ୍ଟର୍‌ ଚେସ୍‌, ଜାତୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା, ଜାତୀୟ ରଗ୍‌ବି, ଏସୀୟ କେନ୍ଦ୍ରୀୟ ଜୋନ୍‌ ଭଲିବଲ୍ ପ୍ରତିଯୋଗିତା, ଏସୀୟ ବିଶ୍ବବିଦ୍ୟାଳୟ ଭଲିବଲ୍, କଳିଙ୍ଗ ଷ୍ଟାଡିୟମ୍‌ରେ ଏଫଆଇଏଚ୍‌ ପ୍ରୋ ଲିଗ୍‌, ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଆୟୋଜନ ଆଦି ଧାର୍ଯ୍ୟ ସୂଚୀରେ ରହିଛି। ଏକାଧିକ ଖେଳର ଜାତୀୟ ପ୍ରତିଯୋଗିତା ବି ଓଡ଼ିଶାରେ ହେବାର ସମ୍ଭାବାନା ରହିଛି। ଓଡ଼ିଶା ସରକାରଙ୍କ ୪୦୦ କୋଟି ବ୍ୟୟବରାଦ ଭିତରେ ଦେଶର ପ୍ରଥମ ୨୦୦ ମିଟର୍‌ ଇନ୍‌ଡୋର୍ ଆଥଲେଟିକ୍ସ ହଲ, ଟେନିସ୍ କ୍ଲେ କୋର୍ଟ ବି ଚୂଡ଼ାନ୍ତ ରୂପରେଖ ନେବ।

ବ୍ୟାଡମିଣ୍ଟନ୍‌ ଏବଂ ହକି ଏଚ୍‌ପିସି କାର୍ଯ୍ୟ ମଧ୍ୟ ୨୦୨୨ରେ ଲୋକାର୍ପିତ‌ ହେବ। ୨୦୨୩ ମସିହା ପ୍ରାରମ୍ଭରେ ଭୁବ‌େନେଶ୍ବର ଓ ରାଉରକେଲାରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ ଲାଗି ଦେଶର ସର୍ବବୃହତ ବୀର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ କାମ ୨୦୨୨ ଭିତରେ ହିଁ‌ ଶେଷ ହେବ। ୭୦୦ କୋଟି ବ୍ୟୟବରାଦ ଅନ୍ତର୍ଭୁକ୍ତ ୮୯ଟି ବିଜୁ ପଟ୍ଟନାୟକ ମଲ୍ଟି ପର୍ପୋଜ୍‌ ଇନ୍‌ଡୋର୍‌ ହଲ କାର୍ଯ୍ୟକ୍ଷମ ହେବ। ଏହି କ୍ରମରେ କଳିଙ୍ଗ ଷ୍ଟାଡିୟମ୍‌, ବାରବାଟୀ ଷ୍ଟାଡିୟମ୍‌ ସହିତ କିଟ୍‌ର ବିବିଧ କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ବର୍ଷ ସାରା ଚଳଚଞ୍ଚଳ ରହିବ ଏବଂ କ୍ରୀଡ଼ା‌‌ପ୍ରେମୀଙ୍କୁ ପ୍ରଚୁର ମନୋରଂଜନ ଯୋଗାଇବ। ସବୁ କିନ୍ତୁ‌ କୋଭିଡ୍‌ ପରିସ୍ଥିତିର ଗତିବିଧି ଉପରେ ନିର୍ଭର କରିବ।
ବ୍ୟକ୍ତିଗତ ଭା‌ବେ ମଧ୍ୟ ଓଡ଼ିଶାର ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ୨୦୨୨ ବର୍ଷରେ ନିଜ ଚମକ ଛାଡ଼ିବେ ବୋଲି ବିଶ୍ବାସ ଓ ଆତ୍ମ ପ୍ରତ୍ୟୟ ରଖିଛନ୍ତି। ବ୍ୟାଡମିଣ୍ଟନ୍‌ରେ ଋତାପର୍ଣ୍ଣା ପଣ୍ଡା, ବଂଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ, ମହିଳା କ୍ରିକେଟର୍‌ ସୁଶ୍ରୀ ଦିବ୍ୟଦର୍ଶିନୀ, ହକି ତାରକା ସୁଦୀପ ଚିର୍ମାକୋ, ଶିଳାନନ୍ଦ ଲାକ୍ରା, ନୀଲମ ସଞ୍ଜୀବ ଖେସ, ଆଜମିନା କୁଜୁର, ଜୀବନ କିଶୋରୀ ଟୋପ୍ପୋ, ଭାରୋତ୍ତୋଳିକା ଝିଲ୍ଲୀ ଦଳ ବେହେରା, କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ପାରା ଆଥଲେଟ୍ ଜୟନ୍ତୀ ବେହେରା, ମହିଳା ଫୁଟ୍‌ବଲ୍‌ରେ ମଞ୍ଜୁ ଗଞ୍ଜୁ, ପ୍ୟାରି ଖାଖା, ମନୀଷା ପାନ୍ନା, ଜବାମଣି ଟୁଡୁ, ପାରା କ୍ରୀଡ଼ାବିତ୍‌ ଦୀପ ରଂଜନ ବିଶୋଇ, ଟେନିସ୍‌ରେ ଦେବାଶିଷ ସାହୁ, ସୋହିନୀ ମହାନ୍ତି, ଆହାନ ପ୍ରମୁଖ ୨୦୨୨କୁ ଆଗକୁ ନେବେ ବୋଲି ବିଶ୍ବାସ ରହିଛି। ସେହିଭଳି ୨୦୨୨ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ା ଖେଳାଯିବାକୁ ଥିବାରୁ ଦୂତି ଚାନ୍ଦଙ୍କ ସହିତ ରାଜ୍ୟ ହକି ଖେଳାଳି ଓ ଅନ୍ୟମାନେ ପଦକ ଅମଳ କରିବାର ସୁଯୋଗ ପାଇବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ