ଖେଳ ଦେଶ ବିଦେଶ

ଧୋନି-କୋହଲି ଯୋଡ଼ି ବିଶ୍ବକପ୍‌ରେ କମାଲ କରିବେ: ପ୍ରସାଦ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ବିସିସିଆଇ ପୂର୍ବତନ ଅଧିନାୟକ ତଥା ୨୦୦୭ ମସିହା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ ଦଳର ମାର୍ଗଦର୍ଶକ କରିଛି। ନିଜ ପ୍ରଥମ ଆଇସିସି ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଧୋନିଙ୍କ ଉପସ୍ଥିତି ବେଶ୍ ଲାଭଦାୟକ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦ। ଭାରତ ପକ୍ଷରୁ ୬ ଟେଷ୍ଟ୍ ଓ ୧୭ ଦିନିକିଆ ଖେଳିଥିବା ପ୍ରସାଦ କିନ୍ତୁ ସ୍ପିନର ୟୁଜବେନ୍ଦ୍ର ଚହଲ ଭାରତୀୟ ଦଳରେ ସ୍ଥାନ ନପାଇବା ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଟ୍ବେଣ୍ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୬୩ ୱିକେଟ୍ ନେଇଥିବା ଚହଲଙ୍କ ଅନୁପସ୍ଥିତିକୁ ଭାରତ ଅନୁଭବ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧା‌ୱନଙ୍କୁ ନନେବା ମଧ୍ୟ ଏକ ବଡ଼ ଭୁଲ ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା ଜାହିର କରିଛନ୍ତି ସେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ସମ୍ଭାବନାକୁ ନେଇ ଏକ ସାକ୍ଷାତକାର ଅବସରରେ ନିଜ ମନର ଭାବନା ଖୋଲି କହିଥିଲେ ପ୍ରସାଦ।

ପ୍ରଶ୍ନ: ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳକୁ ନେଇ ଆପଣଙ୍କ ଭାବନା କ’ଣ?
ପ୍ରସାଦ: ଆବୁଧାବି ଓ ଦୁବାଇରେ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଭାରତ ପାଖରେ ଜଣେ ଦ୍ରୁତ ବୋଲର କମ୍‌ ଅଛନ୍ତି ବୋଲି ମୁଁ କହିବି। କାରଣ ଏଠାକାର ପିଚ୍ ସ୍ପିନରଙ୍କୁ ସୁହାଇଥାଏ। ଦଳରେ ପାଞ୍ଚ ଜଣ ସ୍ପିନରଙ୍କୁ ନେବା ମୋତେ ଟିକିଏ ଅଡ଼ୁଆ ଲାଗୁଛି। କାରଣ ଏଭଳି ପିଚ୍‌ରେ ଆପଣ କେବଳ ଜଣେ କିମ୍ବା ଦୁଇଜଣ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖନ୍ତି। ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁନଥିବାରୁ ଆଉ ଜଣେ ଦ୍ରୁତ ବୋଲର ଦଳରେ ଥିଲେ ଭଲ ହୋଇଥା’ନ୍ତା।
ପ୍ରଶ୍ନ: ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ସୁଯୋଗ ମିଳିବା ନେଇ ଆପଣ କ’ଣ କହିବେ?
ପ୍ରସାଦ: ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଚହଲ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ନାହାନ୍ତି। ଦଳ ଚୟନ ବେଳେ ଚୟନକର୍ତ୍ତାମାନେ ଫର୍ମକୁ ଅଧିକ ଗୁରୁତ୍ବ ଦେଇଥିଲା ଭଳି ଲାଗୁଛି। ଚହଲ ଚଣେ ଚମତ୍କାର ବୋଲର ଏବଂ ଆମେ ତାଙ୍କ ସେବାରୁ ବଞ୍ଚିତ ହେବା। ମୁଁ ଭାବୁଛି କେବଳ ଫର୍ମ ଆଧାରରେ ଚହରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି।
ପ୍ରଶ୍ନ: ଶିଖର ଧାୱନ ବାଦ ପଡ଼ିବା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି?
ପ୍ରସାଦ: ଆଇସିସି ପ୍ରତିଯୋଗିତାରେ ଧାୱନ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ମୁଁ ତାଙ୍କ ପାଇଁ ବହୁତ ଦୁଃଖିତ। ରୋହିତ ଶର୍ମା ଓ ଧାୱନ ଏକ ଭଲ ଯୋଡ଼ି ଥି‌ଲେ। ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଯୋଡ଼ି ସୀମିତ ଓଭର କ୍ରିକେଟ୍‌କୁ ଫେରିଛନ୍ତି। ଦୀର୍ଘ ଦିନ ହେବ ସୀମିତ ଓଭର କ୍ରିକେଟ୍‌ ଖେଳିନଥିଲେ ମଧ୍ୟ ଅଶ୍ବିନଙ୍କ ଅଭିଜ୍ଞତା ଭାରତକୁ ଫାଇଦା ଦେବ ବୋଲି ଆଶା କରୁଛି।
ପ୍ରଶ୍ନ: ଧୋନିଙ୍କୁ ଭାରତୀୟ ଦଳର ମାର୍ଗଦର୍ଶକ କରାଯିବା ନିଷ୍ପତ୍ତି ଉପରେ ଆପଣଙ୍କ ମତ କ’ଣ?
ପ୍ରସାଦ: ମାଷ୍ଟରମାଇଣ୍ଡ ଧୋନି ଓ କୋହଲି ବିଶ୍ବକପ୍‌ରେ କମାଲ କରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଧୋନିଙ୍କ ଉପସ୍ଥିତି କୋହଲିଙ୍କ ମନୋବଳ ମଧ୍ୟ ବଢ଼ାଇବ। ମୁଁ କହିବି ବିସିସିଆଇ ଏକ ଚମତ୍କାର ନିଷ୍ପତ୍ତି ନେଇଛି। ଧୋନିଙ୍କ ସହ କୋହଲି ଅନେକ କ୍ରିକେଟ୍ ଖେଳିଛନ୍ତି। ଉଭୟ ଉଭୟଙ୍କୁ ଭଲ ଭାବରେ ଜାଣିଛନ୍ତି। ଏଣୁ ଏଥିରୁ ଭାରତୀୟ ଦଳକୁ ନିଶ୍ଚିତ ଭାବେ ଫାଇଦା ମିଳିବ ବୋଲି ଭାବୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ