ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୧ : କୋଲକାତାକୁ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି,୨୩/୦୯: ଆଇପିଏଲ୍‌ର ୩୪ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଦ୍ୱିତୀୟାର୍ଦ୍ଧର ପ୍ରଥମ ମ୍ୟାଚ୍‌ ଜିତିବା ପରେ ନାଇଟ ରାଇଡର୍ସ ମନୋବଳ ଶିଖର ଛୁଇଁଛି । ଗୁରୁବାର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ବିଜୟ ଜାରି ରଖିବାକୁ ନାଇଟ ରାଇଡର୍ସ ଯୋଜନା କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା । ବିଜୟଧାରାକୁ ଫେରିବା ପାଇଁ ଚାମ୍ପିଅନ୍‌ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ରେକର୍ଡକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୧୩ଟି ମ୍ୟାଚ୍‌ରୁ ମୁମ୍ବାଇ ଇଣ୍ଡିଆନ୍ସ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୦ ରନ୍‌ରେ ବିଜୟ ହାସଲ କରିଥିଲା । ଏଥର ନାଇଟ୍‌ ରାଇଡର୍ସ ପ୍ରତିଶୋଧ ନେବାର ସୁଯୋଗ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଅଛନ୍ତି । ଉଭୟଙ୍କ ଖେଳିବା ନେଇ ଆଶଙ୍କା ରହିଛି।

ପ୍ରଥମାର୍ଦ୍ଧ ତୁଳନାରେ ନାଇଟ ରାଇଡର୍ସ ଏଥର ଅଧିକ ସନ୍ତୁଳିତ ମନେ ହେଉଛି । ପ୍ୟାଟ୍‌ କମିନ୍ସ ଦଳରେ ନଥିଲେ ହେଁ ଲୋକି ଫର୍ଗୁସନ ତାଙ୍କ ସ୍ଥାନ ପୂରଣ କରିଛନ୍ତି । ବିସ୍ମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ନାଇଟ ରାଇଡର୍ସ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ନାଇଟ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ଓପନ୍‌ କରିଥିଲେ । ତାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଥିଲା ।

ନାଇଟ୍‌ ରାଇଡର୍ସ ବିପକ୍ଷରେ ରୋହିତ ଇତି ମଧ୍ୟରେ ୯୮୨ ରନ୍‌ ସଂଗ୍ରହ କରିସାରିଛନ୍ତି । ଆଜି ସେ ଖେଳିବା ସହ ୧୮ ରନ୍‌ ସଂଗ୍ରହ କଲେ ନୂଆ ରେକର୍ଡ ସ୍ଥାପନ କରିବେ । ପ୍ରଥମ ଖେଳାଳି ଭାବେ କୌଣସି ଆଇପିଏଲ ଦଳ ବିପକ୍ଷରେ ସେ ୧୦୦୦ ରନ ପୂରଣ କରିପାରିବେ ।

ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍‌ରୁ ୪ ବିଜୟ ଶହ ୮ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଦଳ ଚତୁର୍ଥ ସ୍ଥାନରେ ରହିଛି । ନାଇଟ୍‌ ରାଇଡର୍ସ ୮ଟି ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ହାତେଇ ଷଷ୍ଠ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ