ମୁମ୍ବାଇ: ୧୮୧୭ରେ ଓଡ଼ିଶାରେ ‘ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି’ ବିରୋଧରେ ହୋଇଥିବା ବିଦ୍ରୋହକୁ ଆଧାର କରି ‘ଷ୍ଟାର୍ ପ୍ଲସ୍’ ଟିଭି ଚାନେଲ୍ ‘ବିଦ୍ରୋହୀ’ ଶୀର୍ଷକ ନୂଆ ଧାରାବାହିକ ପ୍ରସାରଣ କରିବ। ‘କଥା ପ୍ରଡକ୍ସନ୍’ର ପ୍ରଯୋଜନାରେ ନିର୍ମିତ ହେଉଥିବା ବ୍ରିଟିସ୍ ଅମଳର ଏହି କାହାଣୀ ଦର୍ଶକମାନଙ୍କୁ ଓଡ଼ିଶରେ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳର ଘଟଣାବଳୀକୁ ଉଜାଗର କରିବ ବୋଲି ମନେହୁଏ।
ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ଉପରେ ବିଦ୍ରୋହୀର କଥାବସ୍ତୁ ଆଧାରିତ। ଖୁବ୍ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ଓଡ଼ିଶାର ତତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ।
ନିକଟ ଅତୀତରେ ରିଲିଜ୍ ହୋଇଥିବା ଏହି ଧାରାବାହିକର ‘ପ୍ରମୋ’ରେ ୧୮୧୭ରେ ଖୋର୍ଦ୍ଧାରେ ହୋଇଥିବା ଐତିହାସିକ ପାଇକ ବିଦ୍ରୋହ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଶରଦ ମାଲହୋତ୍ରା। ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ। ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିସ୍ ଶାସନଦ୍ବାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା।
ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ଉପରେ ଅଧିକାର ସାବ୍ୟସ୍ତ ଆଦି ବିଷୟ ଆଧାରିତ ଏହି କାହାଣୀ କିଂବଦନ୍ତିରେ ଡୁବି ରହିଥିବା ଦେଶପ୍ରୀତି ପ୍ରତି ନୂତନ ଉଚ୍ଛ୍ବାସ ଜାଗ୍ରତ କରିବ। ଶରଦଙ୍କ ବ୍ୟତୀତ ଏହି ଧାରାବାହିକରେ ସୁଲଗ୍ନା ଫାଲ୍ଗୁନୀ, ହେମା ଇଙ୍ଗ୍ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସୌରଭ ଗୋଖ୍ଲେ, ନିଖିଳ ଦାମ୍ଲେ, ପ୍ରିୟା ଟଣ୍ଡନ୍, ଡାନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

