ଖେଳ ଦେଶ ବିଦେଶ

ଟି-୨୦ ଅଧିନାୟକ ପଦ ଛାଡ଼ିବେ କୋହଲି ଟେଷ୍ଟ୍ ଓ ଦିନିକିଆରେ ଅଧିନାୟକ ରହିବେ

ଦୁବାଇ : ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ଗୁରୁବାର ଦିନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅଚାନକ ଏଭଳି ‌ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କୋହଲି। ୟୁଏଇରେ ‌େହବାକୁ ଯାଉଥିବା ଟି-୨୦ ବିଶ୍ବକପ୍ ପରେ ଏହି ପଦ ଛାଡ଼ିବେ। କାର୍ଯ୍ୟଭାର ପରିଚାଳନା ସହ ନିଜ ଟେଷ୍ଟ୍ ଓ ଏକଦିବସୀୟ କ୍ରିକେଟ୍ ଜୀବନକୁ ଦୀର୍ଘାୟୁ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତେବେ ଟେଷ୍ଟ୍ ଓ ଏକଦିବସୀୟ କ୍ରିକେଟ୍‌ରେ ପୂର୍ବଭଳି ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଇବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

ଇଂଲଣ୍ଡ ଗସ୍ତରେ ୩୨ ବର୍ଷୀୟ କୋହଲି ଆଶାଜନକ ପ୍ରଦର୍ଶନ କରିନପାରିବା ପରେ ଭାରତୀୟ ଦଳର ନେତୃତ୍ବ ପରିବର୍ତ୍ତନ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିସିସିଆଇ କିନ୍ତୁ ଏହାକୁ ଖଣ୍ଡନ କରିଥିଲା। ନେତୃତ୍ବ ପରିବର୍ତ୍ତନର କୌଣସି ସମ୍ଭାବନା କିମ୍ବା ଆବଶ୍ୟକତା ନାହିଁ ବୋଲି କହିଥିଲା

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ହେଲେ କୋହଲି ଗୁରୁବାର ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛଡ଼ିବା ଘୋଷଣା କରିବା ପରେ ଏହି ଚର୍ଚ୍ଚା ଯେ ଅମୂଳକ ନଥିଲା ତାହା ପ୍ରମା‌ଣିତ ହୋଇଛି।

ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଉପଅଧିନାୟକ ରୋହିତ ଶର୍ମା ଓ ଅନ୍ୟଦଳୀୟ ସାଥୀଙ୍କ ସହ ଆଲୋଚନା କରିବା ପରେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା‌ ସୂଚନା ଦେଇଛନ୍ତି ବିଶ୍ବ କ୍ରିକେଟ୍‌ର ଏହି ସବୁଠାରୁ ଦାମୀ ଓ ଧନୀ କ୍ରିକେଟର। ସେହିଭଳି ନିଜ ନିଷ୍ପତ୍ତି ବିଷୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ଜଣାଇ ଦେଇଥିବା କହିଛନ୍ତି କୋହଲି। ତାଙ୍କର ଏହି ‌ଘୋଷଣା ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ? ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଉପଅଧିନାୟକ ରୋହିତ ଶର୍ମା କିନ୍ତୁ କୋହଲିଙ୍କ ଉତ୍ତରାଧିକାରୀ ହେବାର ଶତପ୍ରତିଶତ ସମ୍ଭାବନା ରହିଛି।

୨୦୧୭ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଟ୍ବେଣ୍ଟି-୨୦ ଅଧିନାୟକ ଭାର ଗ୍ରହଣ କରିବା ପରେ ୪୫ ମ୍ୟାଚ୍‌ରେ କୋହଲି ଭାରତର ନେତୃତ୍ବ ନେଇଛନ୍ତି। ସେଥିମଧ୍ୟରୁ ୨୭ ମ୍ୟାଚ୍ ଜିତିଥିଲା ବେଳେ ୧୪ଟିରେ ପରାଜିତ ହୋଇଛନ୍ତି। ତାଙ୍କ ନେତୃତ୍ବରେ ଭାରତ ଖେଳିଥିବା ମ୍ୟାଚ୍ ମଧ୍ୟରୁ ୨ଟି ଲେଖାଏଁ ମ୍ୟାଚ୍ ଟାଇ ଏବଂ ଫଳାଫଳ ବିହୀନ ରହିଛି। ଟ୍ବେଣ୍ଟି-୨୦ରେ କୋହଲିଙ୍କ ବିଜୟ ପ୍ରତିଶତ ହେଉଛି ୬୫.୧୧। ୮୯ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳି ୫୨.୬୫ ହାରରେ ୩୧୫୯ ରନ୍ କରିଛନ୍ତି ସେ। ୯୪ ରନ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ସହ କ୍ରିକେଟ୍‌ର ଫଟାଫଟ୍ ଫର୍ମାଟ୍‌ରେ ୨୮ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି କୋହଲି।

ସୂଚନା‌ଯୋଗ୍ୟ ଯେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍-୨୦୨୧ର ଦ୍ବିତୀୟ ଚରଣରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ନେତୃତ୍ବ ନେବେ କୋହଲି। ଏହା ପରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ଅଧିନାୟକ ଦାୟିତ୍ବ ତୁଲାଇବେ। ଭାରତ ଅକ୍ଟୋବର ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ତାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ