ଭୁବନେଶ୍ବର: ଆସନ୍ତା ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନର ତାସକେଣ୍ଟ୍ଠାରେ ମିଷ୍ଟର ୱାର୍ଲଡ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଦୁଇ ଜଣ ଚନ୍ଦନ କୁମାର ସାହୁ ଏବଂ ଶୁଭମ ମିଶ୍ର ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଚନ୍ଦନ ୬୦ କେଜି ଓଜନ ବର୍ଗରେ ଏବଂ ପୁରୁଷ ଆଥ୍ଲେଟ୍ ଫିଜିକ୍ସରେ ଶୁଭମ ମିଶ୍ର ଭାଗନେବେ। ଗତ ୩୦ ତାରିଖରେ ପଞ୍ଜାବର ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ଚୟନ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀଙ୍କ ତତ୍ବାବଧନରେ ୩ ଜଣ ରାଜେଶ ବାବୁ ଆଚେରୀ, ଚନ୍ଦନ ଏବଂ ଶୁଭମ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଚନ୍ଦନ ଓ ଶୁଭମ ଯୋଗ୍ୟତା ଅର୍ଜନ କରିଥିଲେ। ଉଭୟଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିଲେ ମଧ୍ୟ ବିଦେଶ ମାଟିରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସାଧାରଣ ସଂପାଦକ ପ୍ରସନ୍ନ ମହାସୁଆର ପ୍ରକାଶ କରିଛନ୍ତି।